ଜମିଜମାକୁ ନେଇ ଗଣ୍ଡଗୋଳ: ଦୁଇ ପୋଲିସ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି

ମୟୂରଭଞ୍ଜ (କେନ୍ୟୁଜ): ଜମିଜମାକୁ ନେଇ ଗଣ୍ଡଗୋଳ ବେଳେ ପୋଲିସକୁ ଆକ୍ରମଣ । ଜମିଜମା ବିବାଦକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଗାଁରେ ତୁମୁଳକାଣ୍ଡ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ବଡସାହି-ବେତନଟୀ ରାସ୍ତାକୁ ଦୀର୍ଘ ସମୟ ଅବରୋଧ କରିଥିଲେ । ପ୍ରଶାସନ ସେମାନଙ୍କୁ ନିବୃତ୍ତ କରିବାରେ ବିଫଳ ହେବାରୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଓ ବଡ଼ସାହି ଆଇଆଇସି ଉମାଶଙ୍କର ନାୟକ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ରାସ୍ତା ଅବରୋଧକାରୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଭ୍ୟାନ ଭାଙ୍ଗିରୁଜି ଯାଇଥିବା ବେଳେ ଦୁଇ ପୋଲିସ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ବଡ଼ସାହି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ବେଲପାଳ ଗ୍ରାମର ପ୍ରବୋଧ ଭୁୟାଁ ସ୍ଥାନୀୟ ବ୍ୟାଙ୍କରେ ଜମି ବନ୍ଧକ ରଖି ଋଣ ନେଇଥିଲେ। ତେବେ ବାରମ୍ବାର ଋଣ ପରିଶୋଧରେ ଖିଲାପ ହେବାରୁ ଉକ୍ତ ଜମିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଲାମ କରି ଦେଇଥିଲେ। ଏହାର ପ୍ରତିବାଦରେ ପ୍ରବୋଧ ଅଦାଲତର ଦ୍ବାରସ୍ଥ ହୋଇଥିଲେ ଓ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ତେଣୁ ଆଜି ସକାଳେ ନିଜ ଜମିରେ ବାଡ଼ ବସାଇବାକୁ ଯାଇଥିଲେ ପ୍ରବୋଧ। ତେବେ ଜମି ନିଲାମ ନେଇଥିବା ବ୍ୟକ୍ତି ଓ ତାଙ୍କ ଭାଇମାନେ ଏହାର ବିରୋଧ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେବାସହ ଭୁଜାଲିରେ ହଣାହଣି ହୋଇଥିଲେ ।