ଜବର ଦଖଲ କରି ସରକାରୀ ଜମି ହାତେଇ ନେଉଛନ୍ତି ଜମି ମାଫିଆ

ସାଲେପୁର : ବିଲ୍ଡର ଜମି ମାଫିଆ, ବିଭିନ୍ନ କମ୍ପାନୀ ଓ ଦଲାଲଙ୍କ କବଜାରେ ସରକାରୀ ଜମି । ବିଶେଷକରି ଜଗତପୁର ନିକଟସ୍ଥ ସାଲେପୁର ତହସିଲ ଅନ୍ତର୍ଗତ ଅତୋଡ଼ା ମହାନଦୀ ପଠାରେ ଥିବା ସରକାରୀ ଜମିକୁ ପ୍ରଥମେ ଜବରଦଖଲ କରୁଛନ୍ତି । ପରେ ଶାଗ ମାଛ ଦରରେ ବାହାର ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ଯାହା ଫଳରେ ମାଫିଆ ଓ ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ଅଚିନ୍ତା ନିଦରେ ଶୋଇଛି ସ୍ଥାନୀୟ ତହସିଲ ପ୍ରଶାସନ । ଏଥି ପ୍ରତି ନା ଅଛି କୌଣସି ନିଘା ନା ମାଫିଆ ମାନଙ୍କ ପ୍ରତି କିଛି ଲଗାମ ଯାହାକୁ ନେଇ ଉଠିଲାଣି ପ୍ରତିବାଦ ସ୍ବର । ଗୋଚର ଓ ଶ୍ମଶାନ ଜମି ଏବଂ ଅନାବାଦୀ ଉପରେ କୌଣସି ପ୍ରକଳ୍ପ ନିର୍ମାଣ କରିବାକୁ ହେଲେ ସମ ପରିମାଣର ଜମି ବିନିମୟ କରିବା ପାଇଁ ସରକାରୀ ନିୟମ ରହିଛି । ମାତ୍ର ସାଲେପୁର ବ୍ଳକ୍ ବାରୋଗୋଡ଼ିଆ ଅତୋଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ନେଇ ସ୍ଥାନୀୟ ଅଞ୍ଚଳାବସୀ ଓ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଗ୍ରାମବାସୀଙ୍କ କହିବା ଅନୁସାରେ, ମହାନଦୀ ବନ୍ଧ ପାର୍ଶ୍ଵରେ ଆତୋଡ଼ା ଗାଁର ଶହଶହ ଏକର ଚାଷ ଜମି ସହିତ ଗୋଚର ଜମି ରହିଛି । ଦଲାଲମାନେ ପ୍ରଥମେ ବାହାର ବ୍ୟବସାୟୀଙ୍କୁ ଅଳ୍ପ କିଛି ଜମି କରାଇ ଦେଇ ସେହି ଜମି ପାର୍ଶ୍ଵରେ ରହିଥିବା ଏକର ଏକର ସରକାରୀ ଜମି କବ୍ଜା କରିବାରେ ଲାଗିଛନ୍ତି । ସେହିଭଳି ବନ୍ୟା ସମୟରେ ସ୍ଥାନୀୟ ଚାଷୀମାନଙ୍କର ଅନେକ ଚାଷ ଜମି ମହାନଦୀ ଅତଡ଼ା ଖାଇବା ଦ୍ବାରା ନଦୀରେ ମିଶିଯାଇଛି ।
ଏନେଇ ଅନେକ ଚାଷୀ ନିଜର ଚାଷ ଜମି ଫେରି ପାଇବା ପାଇଁ ସରକାରଙ୍କ ନିକଟରେ ଦୀର୍ଘ ବର୍ଷ ବର୍ଷ ଧରି ନିବେଦନ କରିଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନାହିଁ । ଏପରି ସ୍ଥଳେ ଗୋଚର, ଶ୍ମଶାନ ଓ ଜଙ୍ଗଲଜମି ଭଳି ସରକାରୀ ଜମିକୁ ମାଫିଆ ଓ ବାହାର ବ୍ୟବସାୟୀ ଜବର ଦଖଲ କରି ହାତେଇ ନେଉଛନ୍ତି । ମାଟି ଗୋଡ଼ି ପକାଇ ରାସ୍ତା ନିର୍ମାଣ ବାହାନାରେ ବହୁ ଜମି ଜବରଦଖଲ କରି ମାଲିକାନା ଦେଖାଉଛନ୍ତି । ବିଭିନ୍ନ ଛୋଟ ବଡ଼ ଗୋଦାମ ଶିଳ୍ପ ମଧ୍ୟ ଏହି ପଠା ରେ ଗଢି ଉଠିଥିବା ଦେଖାଯାଉଛି । ଏଭଳି ଜବରଦଖଲକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ଜିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ ପାଇଁ ଦାବି ହେଉଛି । ଅନ୍ୟପଟେ ସାଲେପୁର ତହସିଲଦାର ତଦନ୍ତ କରି ଜବର ଦାଖଲ ହୋଇଥିଲେ ସରକାରୀ ସମ୍ପତ୍ତି ଉଦ୍ଧାର ହେବ ।
Also read:ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ, ୨୨ଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ