ଲଗାଣ ବର୍ଷାରେ ବେହାଲ କୋରାପୁଟ: ଧସିଲା ମାଟି ଅତଡ଼ା, ଯାତାୟାତ ଠପ୍

ଜୟପୁର : ଲଗାଣ ବର୍ଷାରେ ବେହାଲ କୋରାପୁଟ। ପଟାଙ୍ଗିର ବାଲଡା ଅଞ୍ଚଳରେ ଭସ୍ଖଳନ । ଲଗାଣ ବର୍ଷା ଯୋଗୁ ନନ୍ଦପୁର ବ୍ଲକ୍ ର କାଲାଡ଼ି ଗାଁ ନିକଟରେ ଧସିଲା ମାଟି ଅତଡ଼ା । ଏଥିଯୋଗୁ ଖେମୁଣ୍ଡୁଗୁଡ଼ା ଓ ନନ୍ଦକାକୁ ଯାତାୟାତ ଠପ୍ । ଜୟପୁର ଲମତାପୁଟ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ିଛି ଗଛ । ସହରର ବିଭିନ୍ନ ସାହି ବସ୍ତିରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି । ସ୍କୁଲ ପରିସରରେ ମଧ୍ୟ ପାଣି ଲହଡ଼ି ମାରୁଛି । ଜିଲ୍ଲାର ବୈପାରୀଗୁଡ଼ା, ନନ୍ଦପୁର, ଲମତାପୁଟ ଓ ଜୟପୁର ବ୍ଲକରେ ଅଧିକ ବର୍ଷା ହୋଇଛି l ପ୍ରବଳ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ଯାଇଥିବା ବେଳେ କୋଲାବ, ମୁରାନ ଓ ତେଲେଙ୍ଗିରି ଡ୍ୟାମ ରେ ଜଳସ୍ତର ସ୍ଥିର ରହିଛି ।
ସେପଟେ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୪ ଦିନ ବର୍ଷା ଲାଗି ରହିବ। କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ଆଜି ୧୦ ଜିଲ୍ଲା ଓ କାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ୧୩ଟି ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି ।