ଫାଟିଲା ଲାପଟପ୍, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ପଟ୍ଟାମୁଣ୍ଡାଇ: ଆଜିର ଡିଜିଟାଲ୍ ଯୁଗରେ ପ୍ରାୟତଃ ସଭିଏଁ ଅଫିସିଆଲ ହେଉ କିମ୍ବା ପର୍ସନାଲ ସବୁକିଛି ପାଇଁ ଆମେ ଲାପଟପ୍ ବ୍ୟବହାର କରୁ । ଯଦି ଆପଣ ବି ଲାପଟପ୍ ବ୍ୟବହାର କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ଲାପଟପ୍ ର ବ୍ୟାଟେରୀ ବ୍ୟବହାର ପରେ ଶୀଘ୍ର ଡିସଚାର୍ଜ ହୁଏ । ଏଭଳି ପରିସ୍ଥିତିରେ ପ୍ରାୟତଃ ଲୋକେ କାମ କରୁଥିବା ସମୟରେ ଚାର୍ଜରେ ଲଗାଇ କାମ କରିଥାନ୍ତି । ଏମିତି ଚାର୍ଜରେ ଲଗାଇ ଯଦି କାମ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ୍ । ନଚେତ୍ ଏମିତି ଅଘଟଣ ଆପଣଙ୍କ ସହ ବି ଘଟିପାରେ ।

ଫାଟିଲା ଲାପଟପ୍ । ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ । କେନ୍ଦ୍ରାପଡା ପୌରାଞ୍ଚଳର ହଜାରୀବଗିଚା ସ୍ଥିତ ରାତ୍ରି ଆଶ୍ରୟସ୍ଥଳୀରେ କାମ କରୁଥିବା ବେଳେ ହଠାତ ଫାଟିଥିଲା ଲାପଟପ୍ । ଲାପଟପରୁ ଦେଖୁ ଦେଖୁ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗି ଅନେକ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି l ସ୍ୱଚ୍ଛସାଥୀମାନଙ୍କ ଫିଙ୍ଗରପ୍ରିଣ୍ଟ ନିଆଯାଉଥିବା ବେଳେ ଲାପଟପଟିକୁ ଚାର୍ଜରେ ଲଗାଇ କାମ କରାଯାଉଥିବାରୁ ଅଧିକ ଉତ୍ତପ୍ତ ହୋଇ ଏଭଳି ଅଘଟଣ ହୋଇଥିବା ଅନୁମାନ କରାଯାଉଛି । ଯାହାର ସିସିଟିଭି ଭିଜୁଆଲ୍ ବି ଦେଖିବାକୁ ମିଳିଛି ।

ଭିଜୁଆଲ୍ ରେ ଯାହା ଦେଖିବାକୁ ମିଳୁଛି, ଚାର୍ଜରେ ବସିଥିବା ଲାପଟପ୍ ଟି ହୁହୁ ହୋଇ ଜଳିଉଠୁଛି । ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା କିଛି କର୍ମଚାରୀ ଦୌଡି ଆସୁଛନ୍ତି । ଦେଖିଲା ବେଳକୁ ଲାପଟପ୍ ଟି ଜଳି ହଠାତ୍ ବ୍ଳାଷ୍ଟ ହୋଇଯାଉଛି । ଘଟଣା ପରେ ତୁରନ୍ତ ଜଣେ କର୍ମଚାରୀ ଅଫିସ୍ ରେ ଥିବା ନିଆଁ ଲିଭା ଗ୍ୟାସ୍ ବ୍ୟବହାର କରି ନିଆଁକୁ ଆୟତ କରିଥିଲେ । ତେବେ ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି କର୍ମଚାରୀ ଲାପଟପ୍ ଟିକୁ ବ୍ୟବହାର କରୁନଥିଲେ । ଯାହାଫଳରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।