ଯାଜପୁର ଓ ସମ୍ବଲପୁରରେ ବଡ଼ ଧରଣର ଡକାୟତି ଘଟଣା, ରାଜ୍ୟ ବାହାରର ଗ୍ୟାଙ୍ଗ ସଂପୃକ୍ତ ଥିବା ସନ୍ଦେହ
ଯାଜପୁର / ସମ୍ବଲପୁର: ୨୪ ଘଣ୍ଟାରେ ରାଜ୍ୟରେ ଦୁଇଟି ବଡ଼ ଧରଣର ଡକାୟତି । ପ୍ରଥମେ ସମ୍ବଲପୁର ଓ ତାପରେ ଯାଜପୁରର ପାଣିକୋଇଲି। ଦୁଇଟି ଯାକ ଡକାୟତି ଘଟଣାରେ ରାଜ୍ୟ ବାହାରର ଗୋଟିଏ ଗ୍ୟାଙ୍ଗ ସଂପୃକ୍ତ ଥିବା ସନ୍ଦେହ ଜୋର ଧରିଛି । ସମାନ ଢ଼ଙ୍ଗରେ ଘଟିଛି ଡକାୟତି ଘଟଣା । ପାଣିକୋଇଲିରେ ଡ଼କାୟତଙ୍କ ଗୁଳିମାଡରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସମ୍ବଲପୁର ସହରର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ ରେ ହୋଇଛି ସଶସ୍ତ୍ର ଡକାୟତି । ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କେଜିରୁ ଅଧିକ ଓଜନର ସୁନା ଓ ୪ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି ।
ସେହିପରି ବ୍ୟସ୍ତବହୁଳ ପାଣିକୋଇଲି ଅଞ୍ଚଳରେ ପଣ୍ଡା ଅଳଙ୍କାର ଦୋକାନରେ ପଶି ୫ ଜଣ ମୁଖା ପିନ୍ଧା ଡ଼କାୟତ ଲୁଟି ନେଇଛନ୍ତି ୫ କିଲୋ ସୁନା । ସମସ୍ତଙ୍କ ହାତରେ ଥିଲା ପିସ୍ତଲ । ଅଳଙ୍କାର ଦୋକାନର ମାଲିକ ନିଜେ କାରରେ ଡ଼କାୟତଙ୍କ ବାଇକକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରୁ ଖସି ଯିବାକୁ ଡ଼କାୟତମାନେ ଆଖିବୁଜା ଗୁଳି ଚଳାଇଥିଲେ । ଯେଉଁଥିରେ ଦୁଇଜଣ ନିରୀହ ଯୁବକଙ୍କ ଜୀବନ ଯାଇଛି । ଦୁଇ ଡକାୟତ ଧରାପଡିଥିବାବେଳେ ଲୁଟ ସୁନା ଧରି ଚମ୍ପଟ ମାରିଛନ୍ତି ଅନ୍ୟ ଦୁଇ ଡ଼କାୟତ। ଧରାପଡିଥିବା ଦୁଇ ଡକାୟତଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଧରାପଡିଥିବା ଅପରାଧୀ ଝାରଖଣ୍ଡ ଓ ବିହାରର ବୋଲି ସୂଚନା ମିଳିଛି । ଦୋକାନୀଙ୍କ ଏତଲାକୁ ଆଧାର କରି ଫେରାର ଡକାୟତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତନାଘନା ଜାରି ରହିଛି ।