ପଞ୍ଚଭୂତରେ ବିଲୀନ ହେଲେ ଅଚ୍ୟୁତାନନ୍ଦ, ଅମର ରହେ ଧ୍ୱନିରେ କମ୍ପିଲା ଅଞ୍ଚଳ

ବଲାଙ୍ଗିର (କେନ୍ଯୁଜ୍) : ଅଚ୍ୟୁତାନନ୍ଦ ସାହୁଙ୍କୁ ଅନ୍ତିମ ବିଦାୟ। ପଞ୍ଚଭୂତରେ ବିଲୀନ ହେଲା ମରଶରୀର । ନିଜ ପୈତୃକ ଗାଁ ବଲାଙ୍ଗିର ଲୋଇସିଂହାର ଘୁଷୁରୀମୁଣ୍ଡା ଗାଁ ମଶାଣିରେ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଆଜି ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ମରଶରୀର ନିଆଯାଇଥିଲା । ଅଚ୍ୟୁତ ଅମର ରହେ ଧ୍ୱନିରେ କମ୍ପିଥିଲା ଅଞ୍ଚଳ ।

acyuta

ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଘୁଷୁରାମୁଣ୍ଡା ଗାଁରେ ପହଞ୍ଚି ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ମାଟିର ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଓ ଗାଁଲୋକେ। ଦୁଃଖରେ ସମସ୍ତେ ଭାଙ୍ଗିପଡିଛନ୍ତି। ଗତକାଲି ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲାର ଆରନପୁର ନିକଟରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ  ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଘଟିଥିଲା ।

 

ଖବର ସଂଗ୍ରହ ପାଇଁ ଯିବା ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ । ଦୂରଦର୍ଶନର ଏକ ତିନି ଜଣିଆ ଟିମ୍‌ ସହ ସେ ଖବର ସଂଗ୍ରହ ପାଇଁ ଯାଇଥିଲେ । ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ଜଣେ ସହିଦ୍‌ ହୋଇଛନ୍ତି। ସହିଦ ଯବାନ ହେଲେ ରାକେଶ କୋଶଲ। ପୂର୍ବରୁ ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ପାଇଁ ସେନାରେ କାର‌୍ୟ୍ୟ କରିଥିଲେ ।