ପଞ୍ଚଭୂତରେ ଲୀନ ହେଲେ ଜନନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଟଳଙ୍କୁ ଅନ୍ତିମ ବିଦାୟ, ମୁଖାଗ୍ନି ଦେଲେ ଝିଅ ନମିତା

ନୂଆଦିଲ୍ଲୀ (କେନ୍ୟୁଜ୍) : ସ୍ମୃତିସ୍ଥଳରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଏହି ଲୋକପ୍ରିୟ ନେତାଙ୍କର ମରଶରୀରକୁ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ସ୍ମୃତିସ୍ଥଳକୁ ନିଆଯାଇଥିଲା । ହଜାର ହଜାର ଲୋକ ସାମିଲ ହୋଇଥିଲେ ଶୋଭାଯାତ୍ରାରେ । ବିଜେପି କାର୍ଯ୍ୟାଳୟରୁ ସ୍ମୃତିସ୍ଥଳ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ଧରି ଶୋଭାଯାତ୍ରା ହୋଇଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଜମା ହୋଇଥିଲେ ହଜାର ହଜାର ଲୋକ । ଫୁଲ ପକାଇ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏଇ ମହାନ୍ ଜନନେତାଙ୍କୁ । ତାଙ୍କର ପାର୍ଥିବ ଶରୀର ସ୍ମୃତିସ୍ଥଳରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେନା ଅଧ୍ୟକ୍ଷ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ ଶ୍ରୀଲଙ୍କା, ଭୁଟାନ୍, ନେପାଳ ଭଳି ବିଦେଶରୁ ଆସିଥିବା ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତିନି ତିନିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଏହି ଭାରତ ରତ୍ନଙ୍କୁ ତୋପ ସଲାମୀ ଦିଆଯାଇଥିଲା । ଏହି ଅବସରରେ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ସହ ବିଭିନ୍ନ ଧର୍ମର ଧର୍ମଗ୍ରନ୍ଥ ପାଠ କରାଯାଇଥିଲା । ତାଙ୍କ ଶବାଧାରକୁ କାନ୍ଧେଇ ଜୁଇ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ହିନ୍ଦୁ ପରମ୍ପରା ଅନୁସାରେ ଅଗ୍ନି ସଂଯୋଗ କରାଯାଇଥିଲା । ତାଙ୍କ ପୋଷ୍ୟକନ୍ୟା ନମିତା ମୁଖାଗ୍ନି ଦେଇଥିଲେ । ନମିତାଙ୍କ ଝଅ ତଥା ଅଟଳଙ୍କ ନାତୁଣୀ ନିହାରିକା ତାଙ୍କ ମରଶରୀରରେ ଢଙ୍କା ଯାଇଥିବା ଜାତୀୟ ପତାକାକୁ ଗ୍ରହଣ କରିଥିଲେ ।