ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍, ଚୋରି ଡକାୟତିକୁ ନେଇ ଭୟଭୀତ ବଡ଼ଗଡ଼ ବାସିନ୍ଦା

ଆଜି ହେଉଛି ଜାଗର । ଜାଗର ପାଇଁ ଚଳଚଞ୍ଚଳ ପ୍ରତ୍ୟେକ ଶୈବ ପୀଠ । କିନ୍ତୁ ଏହି ଶିବ ରାତ୍ରି ପୂର୍ବରୁ ହିଁ ଘଟିଛି ବଡ଼ ଅଘଟଣ । ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟି ନେଇଛନ୍ତି ସୁନା ଚେନ୍ ଓ ଫୋନ୍। ଶିବ ରାତ୍ରି ପୂର୍ବରୁ ଚୋରି କରିବା ପାଇଁ ପ୍ଲାନ୍ କଲେ । ଆଉ ବିଳମ୍ବିତ ରାତିରେ ଘଟଣା ଘଟାଇଲେ ଚୋର ।

ବଡ଼ଗଡ଼ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ଭଳି ଅପରାଧ ବଢ଼ି ଚାଲିଛି । ଲୁଟର  ମାତ୍ରା ଏତେ ବଢି ଯାଇଛି ଯେ ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । କିଛି ଦିନ ପୂର୍ବରୁ ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ମେଘେଶ୍ୱର ମନ୍ଦିର ହୁଣ୍ଡିରୁ ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା । ଏ ଘଟଣାକୁ ମାତ୍ର କେଇଟା ଦିନ ନପୁରୁଣୁ ପୁଣି ଶିବ ରାତ୍ରି ପୂର୍ବରୁ ମେଘେଶ୍ବର ମନ୍ଦିରର ପୂଜାରୀଙ୍କୁ ନିଶା ଦେଇ ଲୁଟ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ବିଳମ୍ବିତ ରାତିରେ ମେଘେଶ୍ବର ମନ୍ଦିରରେ ପୂଜାରୀ କ୍ଷୀରୋଦ କୁମାର କରଙ୍କ ଠାରୁ ଏଭଳି ଲୁଟ ହୋଇଛି । ମେଘେଶ୍ବର ମନ୍ଦିର ପରିସର ଥିବା ପୂଜାରୀଙ୍କ ଘର ସାମ୍ନା ଗେଟ୍ ରେ ଶୋଇଥିଲେ କ୍ଷୀରୋଦ । ତେବେ ବିଳମ୍ବିତ ରାତିରେ କ୍ଷୀରୋଦଙ୍କ ନିକଟକୁ ଆସି ନିଶା ଶୁଙ୍ଘାଇଥିଲେ ଚୋର । ପରେ ତାଙ୍କ ବେକରୁ ସୁନା ଚେନ୍ ନେଇ ଫେରାର ମାରିଥିଲେ ।

ସକାଳ ହେବା ପରେ  ବେକରେ ସୁନା ଚେନ ଏବଂ ପାଖରେ ମୋବାଇଲ ଫୋନ ନଥିବା ଜାଣିବାକୁ ପାଇଥିଲେ ପୂଜାରୀ । ନିଶା ଯୋଗୁଁ ତାଙ୍କର ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡ଼ି ଯାଇଥିଲା । ଯାହା ପରେ ସେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଚିକିତ୍ସା କରାଇଥିଲେ । ଏନେଇ ସେ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଲୁଟେରାଙ୍କ ଆତଙ୍କ ରାଜରେ ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଲୋକମାନେ ବାହାରକୁ ବାହାରିବାକୁ ମଧ୍ୟ ଭୟ କଲେଣି । ଲୁଟେରାଙ୍କ ଦୌରାତ୍ମ୍ୟ କେମିତି କମିବ ସେଥିପାଇଁ କମିସନରେଟ ପୋଲିସ କେବେ ତତ୍ପରତା ଦେଖାଇବ ତାକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ।

Also read: ନିଶା ପାଇଁ ରାତିରେ ମୁଖା ପିନ୍ଧି କରୁଥିଲେ ଲୁଟ୍, ଦୁଇ ଚୋରକୁ ଗିରଫ କଲା ବାଲିଗୁଡା ପୋଲିସ