ମେଘୁଆ ପାଗ: ୪ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର : ରାଜ୍ୟ ଜାରି ରହିଛି ବର୍ଷା । ୪ ଦିନ ଯାଏ ପ୍ରବଳ ବର୍ଷିବ। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଓ ସଂଲଗ୍ନ ବାଂଲାଦେଶ ଉପରେ ସକ୍ରିୟ ରହିଛି । ରାଜ୍ଯରେ ମୌସୁମୀ ମଧ୍ୟ ସକ୍ରିୟ। ଏହା ପ୍ରଭାବରରେ ରାଜ୍ଯବ୍ୟାପୀ ବର୍ଷା ଲାଗି ରହିଛି । ଆସନ୍ତା ୪ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ଅଞ୍ଚଳରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼କୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ମାଲାକାନଗିରି ମୋଟୁ ସୀମାରେ ଫୁଲୁଛି ଗୋଦାବରୀ । ୩୨୬ ନମ୍ବର ଏନଏଚରେ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଛି ଯାତାୟାତ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଅଟକି ରହିଛି । ଟ୍ରକ ଚାଳକ ଓ ହେଲପରଙ୍କ ଖାଦ୍ୟ ସାମଗ୍ରୀ ସରି ଆସୁଥିବା ବେଳେ, ଏବେବି ରାସ୍ତା ଖୋଲିନି । ରାସ୍ତା ନଖୋଲିବା ଯାଏ ପ୍ରଶାସନ ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ଟ୍ରକ ଡ୍ରାଇଭର ମାନେ ଦାବି କରିଛନ୍ତି ।

ସେପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର । ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଉପରମୁଣ୍ଡରେ ବର୍ଷାଯୋଗୁଁ ଜଳଭଣ୍ଡାର ଜଳସ୍ତର ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୪.୯୧ କ୍ୟୁସେକ୍ । ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୨ହଜାର ୫୬ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଛି ୩୨ହଜାର ୩୧ କ୍ୟୁସେକ ଜଳ । ଜଳସ୍ତର ବୃଦ୍ଧି ପାଇଲେ ହୀରାକୁଦ ସୁଇସ୍ ଗେଟ୍ ଖୋଲିପାରେ ବୋଲି ସୂଚନା ଦେଇଛନ୍ତି ହୀରକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ।

You might also like