ଲିଙ୍ଗରାଜ ମନ୍ଦିର ବିବାଦ, ୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୁଇ ଦିନ ଧରି ପ୍ରଭୁ ଉପବାସରେ ରହିବା ଓ ନୀତିକାନ୍ତି ବନ୍ଦ ରହିବା ଦୁର୍ଭାଗ୍ୟଜନକ। ବିବାଦ ଭିତରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ହେବା ଭୁଲ, ତର୍ଜମା କରିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେବାୟତ ବିବାଦ ପାଇଁ ୩ ଦିନ ଧରି ଉପାସରେ ଅଛନ୍ତି ଲିଙ୍ଗରାଜ । ସମାଧାନ ପାଇଁ ଆଇନ ମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଛି । ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ, ସ୍ଥାନୀୟ ବିଧାୟକ, ଉଭୟ ନିଯୋଗ ପ୍ରତିନିଧି ବୈଠକରେ ଉପସ୍ଥିତ ଅଛନ୍ତି ।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ ।

ଗତକାଲି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ବସି ରହିଛନ୍ତି । ଏଭଳି ସ୍ଥିତି ଲାଗି ରହିବା ପରେ ଗତକାଲି ବାରମ୍ବାର ବୈଠକ ବସିଥିଲା । କିନ୍ତୁ ସେବାୟ ନିଜ ଜିଦରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନି । ନିଷ୍କର୍ସ ବାହାର କରିବା ପାଇଁ ସବୁ ନିଯୋଗ ସହ ପୁଣି ବୈଠକ ହେବ। କେଉଁ ସେବକ କେଉଁ ନୀତି କରିବା ପାଇଁ ଅଧିକୃତ ସେ ନେଇ ଲିଷ୍ଟ କରାଯାଉଛି ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ କହିଛି ।

 

You might also like