ପହଣ୍ଡି ବେଳେ ଅଘଟଣ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା: ‘ଏହା ଏକ ସାମାନ୍ୟ ଦୁର୍ଘଟଣା, ଲୀଳାମୟଙ୍କ ଲୀଳା’

ପୁରୀ : ପୁରୀରେ ଆଡପ ପହଣ୍ଡି ବେଳେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ । ଏହା ସାମାନ୍ୟ ଦୁର୍ଘଟଣା ଥିଲା । ଏହା ଲୀଳାମୟଙ୍କ ଲୀଳା । ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ପରେ କିଛି ସେବାୟତ ଆସି ପହଣ୍ଡିରେ ସାମିଲ ହୋଇଛନ୍ତି । ରଥ ଉପରେ ଅଣ ସେବାୟତ ରହିବା ନେଇ କୌଣସି ଠୋସ୍ ଅଭିଯୋଗ ମିଳିନାହିଁ । ମନ୍ଦିର ଭିତରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଜିଲ୍ଲାପାଳ ଓ ଏସପି ସମାଧାନ କରିଛନ୍ତି । ଆଗକୁ ଅଧିକ ଶୃଙ୍ଖଳିତ କରିବାକୁ ରାଜ୍ଯ ସରକାର ପଦକ୍ଷେପ ନେବେ । ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରାଥମିକ ଚିକିତ୍ସା ପରେ ପହଣ୍ଡିରେ ସାମିଲ ହୋଇଥିଲେ ସେବାୟତ । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ଟାରେ ଆଡପ ପହଣ୍ଡି ଆରମ୍ଭ ହୋଇଥିଲା । ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା । ଏହି ସମୟରେ ହଠାତ୍ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର । ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ । ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ । ଏଥିରେ ଆହତ ହୋଇଥିବା ସେବାୟତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଆହତ ୭ଜଣ ସେବାୟତଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ଓ ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି ।