ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କୁ ଅଭିନବ ଦଣ୍ଡ, ଅନାଥାଶ୍ରମରେ ସପ୍ତାହେ ପଢ଼ାଇବେ
କଟକ : ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ଏକ ସପ୍ତାହ ପାଠ ପଢ଼ାଇବେ ରାଗିଂ କରିଥିବା ଛାତ୍ର । କନିଷ୍ଠ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏହାସହିତ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆଇନ ଛାତ୍ରମାନେ ନିଜ ପସନ୍ଦର ଏକ ଅନାଥାଶ୍ରମରେ ଏକ ସପ୍ତାହ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ । ଏହି ଅବଧି ଭିତ ରେ ଅନାଥାଶ୍ରମରେ ପଢୁଥିବା ପିଲାମାନଙ୍କୁ ଶିକ୍ଷାଦାନ କରିବା ବା ସେମାନଙ୍କ ପାଇଁ କର୍ମଶାଳା ଆୟୋଜନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଏଥି ପାଇଁ ନିଜେ ଅନାଥାଶ୍ରମ ଚୟନ କରିବେ ଓ ଏହାର ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରିବେ । ଏକ ସପ୍ତାହର ଶିକ୍ଷାଦାନ ବା କର୍ମଶାଳା ଆୟୋଜନ କାର୍ଯ୍ୟ ସଂପୂର୍ଣ୍ଣ କରିବା ପରେ ଅନାଥାଶ୍ରମର ମୁଖ୍ୟଙ୍କ ଠାରୁ ଏ ସଂପର୍କିତ ପ୍ରମାଣପତ୍ର ଆଣିବେ । ଏପରି ପ୍ରମାଣପତ୍ର ଚାରି ସପ୍ତାହ ଭିତରେ ହାଇକୋର୍ଟରେ ଆବେଦନକାରୀ ଦାଖଲ କରିବେ । ଏପରି ଅନୁଭବ ଆବେଦନକାରୀଙ୍କୁ ସକାରାତ୍ମକ ଦିଗରେ ଅଗ୍ରସର କରିବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି । ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନର ଚାରି ଜଣ ଛାତ୍ରଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷା ଅନୁଷ୍ଠାନରେ ବରିଷ୍ଠ ଛାତ୍ରମାନେ ଜଣେ କନିଷ୍ଠ ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ରାଗିଂ କରିଥିବା ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ର ଜଣଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରାଯାଇଥିଲା ।