ଜୀଇଁଥିବା ଥାଏ ଯୋଡ଼ିଲେ, ମୃତ୍ୟୁ ପରେ ବି ଏକାଠି କଲେ ଅଟଳ

ଭୁବନେଶ୍ବର : ଜୀଇଁଥିବା ଥାଏ ଯୋଡ଼ିଲେ । ମୃତ୍ୟୁ ପରେ ବି ଏକାଠି କଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସଭାରେ ଏକାଠି ହେଲେ ସବୁ ଦଳର ବରିଷ୍ଠ ନେତା । ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିକ ସ୍ମୃତିସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଜପେୟୀ ହେଉଛନ୍ତି ଆଦର୍ଶବାଦ ଓ ସହନଶୀଳତାର ପ୍ରତୀକ । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଥିଲେ । ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି । ମେଣ୍ଟ ସରକାର ପରିଚାଳନାର କଳା ବାଜପେୟୀ ଜାଣିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବହୁ ବିଧାୟକଙ୍କ ସମେତ ଅନ୍ୟ ଦଳର ନେତା ବି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତି ଚାରଣ କରିଥିଲେ । କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ଙ୍କ ସମେତ ବିଜେପିର ବହୁ ନେତା ବି ସାମିଲ ହୋଇଥିଲେ ।