ଜାଣନ୍ତୁ ଲୋପ ପାଇଆସୁଥିବା “ପୁଡୁଗ” ଓ “ଢ଼ିଙ୍କି”ର ବ୍ୟବହାର ବିଷୟରେ, ଯାହା ଆଜିବି ଭୁଲି ପାରିନାହାନ୍ତି କିଛି ଲୋକ

ଭଞ୍ଜନଗର: ବଦଳିଛି ସମୟ । ତା’ସହିତ ଆମ ଚଳଣି ଓ ଆବଶ୍ୟକତାରେ ମଧ୍ୟ ପରିବର୍ତ୍ତନ ଆସିଛି । ପାରମ୍ପରିକ କାର୍ଯ୍ୟଶୈଳୀର କଳେବର ହୋଇଛି । ତଥାପି ଏବେବି , ଅତୀତର ଆବଶ୍ୟକତା କୁ ଭୁଲି ପାରିନାହାନ୍ତି କିଛି ଲୋକ । ସେହି କ୍ରମରେ ଲୋପପାଇ ଆସୁଥିବା , ଚାଉଳ “ପୁଡୁଗ” ଓ ଧାନକୁଟା “ଢ଼ିଙ୍କି” ର ଆବଶ୍ୟକତା ଏବେବି ଦେଖିବାକୁ ମିଳୁଛି ଗଂଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ।

ତେବେ ଏସବୁ ବ୍ୟବହାର ପଛରେ କ’ଣ ରହିଛି ପ୍ରକୃତ କାରଣ ଓ ଆଜିକାଲି କାହିଁକି ଏହା ଲୋପ ପାଇବାକୁ ବସିଲାଣି ଏସବୁ ବିଷୟରେ ଆସନ୍ତୁ ଜାଣିବା:

“ ପୁଡୁଗ “ । ଗାଁ ର ଚାଷୀ ମାନେ ଅମଳ ଧାନ ,ଚାଉଳ , ମୁଗ ଓ ବିରି ଶସ୍ୟକୁ ବର୍ଷ ବର୍ଷ ଧରି ସାଇତି ରଖିବାର ଏହା ଏକ ମାଧ୍ୟମ । ଅତୀତରେ ଯେଉଁ ଚାଷୀ ପରିବାରରେ ଯେତେ ଅଧିକ “ପୁଡୁଗ” ରହୁଥିଲା , ସେହି ଚାଷୀ ସେତିକି ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିଲା । ଝିଅ ବାହାଘର ହେଲେ , ବରଘରକୁ ଚାଉଳ ଓ ମୁଗ “ପୁଡୁଗ” ଉପହାର ସ୍ବରୂପ ଦିଆଯାଉଥିଲା । ଭୋଜି କିମ୍ବା ପର୍ବ-ପର୍ବାଣୀ ରେ , “ ପୁଡୁଗ” ଚାଉଳ ଓ ମୁଗ- ଡାଲି ର ଚାହିଦା ଅଧିକ ରହୁଥିଲା । କାଳକ୍ରମେ ଏହି “ପୁଡୁଗ” ତିଆରି ଓ ଆବଶ୍ୟକତା , ଧିରେ ଧିରେ କମିଆସିଲା । ଏବେ କାଁ ଭାଁ ଏହି ପୁଡୁଗ ଦେଖିବାକୁ ମିଳୁଛି ।

puddugaସେହିଭଳି ଗ୍ରାମାଞ୍ଚଳର ଘରେ ଘରେ “ଢିଙ୍କି” ର ବ୍ୟବହାର ରହିଥିଲା । ଅମଳ ଶସ୍ୟ କୁ “ଢିଙ୍କି” ରେ କୁଟି ତାକୁ ବ୍ୟବହାର କରାଯାଉଥିଲା । ବିବାହ , ବ୍ରତ , ପୂଜା-ପାର୍ବଣ ରେ “ଢିଙ୍କି” କୁଟା ଅନୁକୂଳ କରାଯାଉଥିଲା । ଧିରେ ଧିରେ “ଢିଙ୍କି” ର ସ୍ଥାନ ଅତ୍ୟାଧୁନିକ ଯନ୍ତ୍ର ଓ ଧାନକଳ ଅଧିକାର କଲା । ଏବେ ହାତଗଣତି କିଛି ଚାଷୀଘର ବ୍ୟତୀତ ଆଉ “ଢିଙ୍କି” ଦେଖିବାକୁ ମିଳୁନି ।

ପୁଡୁଗ ରେ ଶସ୍ୟ ସାଇତି ରଖିବା ଦ୍ବାରା , ତାହା କୀଟ ଦାଉରୁ ରକ୍ଷା ମିଳିବା ସହ ବର୍ଷ ବର୍ଷ ଧରି ସୁରକ୍ଷିତ ରହେ ଓ ସୁସ୍ବାଦୁ ହୋଇଥାଏ । ସେହିଭଳି “ଢିଙ୍କି” କୁଟା ଚାଉଳ ଭିଟାମିନ୍ ଯୁକ୍ତ ହେବାସହ , ଢ଼ିଙ୍କି କୁଟିବା ଦ୍ବାରା ଶରୀର ସୁସ୍ଥ ରହିଥାଏ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

dhanaତେବେ ହଜିଯିବାକୁ ବସିଥିବା ଏ ସବୁ ପାରମ୍ପରିକ ଆବଶ୍ୟକତା , ଅତୀତ ଚଳଣିରେ ଅତି ଉପାଦେୟ ଓ ଏକମାତ୍ର ମାଧ୍ୟମ ଥିଲା । ଯା‌ହା ଏବେ କ୍ବଚିତ୍ ଦେଖିବାକୁ ମିଳୁଛି । ଯାହାର ଫଳ ସ୍ୱରୂପ , ଆସନ୍ତା ଦିନରେ ଏସବୁ , କେବଳ କାହାଣୀ ହୋଇ ରହିଯିବ ଏଥିରେ ସନ୍ଦେହ ନାହିଁ ।

ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେ ନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.