ଯାଜପୁର: ପ୍ରସିଦ୍ଧ ସିଂହାପୁର ଯାତ୍ରା ଆରମ୍ଭ, ବର୍ଷକରେ ମାତ୍ର ୩ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଜଳାଶୟୀ ନାରାୟଣ ଗୋସାଇଁ

ଯାଜପୁର (କେନ୍ୟୁଜ): ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ପରମ୍ପରା ଅନୁଯାୟୀ ପୁଷ୍କରିଣୀରେ ଜଳାଶୟୀ ନାରାୟଣ ଗୋସାଇଁ ଆଜି ଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଏହି ଯାତ୍ରା ବନ୍ଦ ରହିଥିଲା । ନାରାୟଣ ଗୋସାଇଁଙ୍କ ଦର୍ଶନ ତଥା ଯାତ୍ରା ବୁଲିବା ପାଇଁ ଆଜି ସକାଳୁ ଏଠାରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି ।

ଆରମ୍ଭ ହେଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ସିଂହାପୁର ଯାତ୍ରା । ବର୍ଷକରେ ମାତ୍ର ୩ ଦିନ ପାଇଁ ନାରାୟଣ ଗୋସାଇଁ ପାଣିରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ପରମ୍ପରା ଆଉ କେଉଁଠି ଦେଖିବାକୁ ମିଳିନଥାଏ । ଇତିହାସ କହେ ଷୋଡଶ ଶତାବ୍ଦୀରେ ରାଜା ମୁକୁନ୍ଦ ଦେବଙ୍କ ଶାସନ କାଳରେ କଳା ପାହାଡ ଅନେକ ହିନ୍ଦୁ ଦେବା ଦେବୀ ମନ୍ଦିର ଭାଙ୍ଗି ପକାଇଥିଲା । କଳା ପାହାଡ ଆକ୍ରମଣରେ ବର୍ତିଥିଲା ସିଂହାପୁରର ନାରାୟଣ ଗୋସାଇଁଙ୍କ ମନ୍ଦିର । କଳା ପାହାଡ ଆସୁଥିବାର ଖବର ପାଇ ଏଠାକାର ବ୍ରାହ୍ମଣ ମାନେ ନାରାୟଣ ଗୋସାଇଁଙ୍କୁ ନିକଟସ୍ଥ ପୁଷ୍କରିଣୀରେ ଲୁଚାଇ ଦେଇଥିଲେ । ଦ୍ୱାଦଶ ଶତାବ୍ଦୀରେ ର୍ନିମିତ ଏଠାକାର ମନ୍ଦିରକୁ ସଂମ୍ପୁର୍ଣ୍ଣ ଭାଙ୍ଗି ଦେଇ କଳା ପାହାଡ ଚାଲି ଯାଇଥିଲା । କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୨୦୦ ବର୍ଷ ପୂର୍ବେ ନିକଟସ୍ଥ ଗଡମଧୁପୁରର ରାଜାଙ୍କୁ ସ୍‌ୱପ୍ନାଦେଶ ହେବା ପରେ ନୂତନ ମନ୍ଦିର ଗାଢାଯାଇ ନାରାୟଣ ଗୋସାଇଁଙ୍କୁ ପୂଜା କରାଯାଇଆସୁଛି । ପୁର୍ବରୁ ଗୋଟିଏ ଦିନ ପାଇଁ ଠାକୁରଙ୍କୁ ଜଳରୁ ଉଦ୍ଧାର କରି ପୂଜା କରାଯାଉଥିଲା । କିନ୍ତୁ ଏବେ ୩ ଦିନକୁ ବୃଦ୍ଧି କରାଯାଇଛି । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଏହି ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଆଡମ୍ବର ସହକାରେ ଯାତ୍ରାକୁ ପାଳନ କରାଯାଉଥିବାରୁ ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ଗହଣରେ ନାରାୟଣ ଗୋସାଇଁଙ୍କୁ ମଧୁତୀର୍ଥ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ନିକଟସ୍ଥ ମନ୍ଦିରରେ ଶୋଡଷ ଉପଚାରରେ ପୂଜା କରାଯାଇଛି । ପୁରୀର ରାଜବଂଶ ପରମ୍ପରା ଭଳି ସକାଳୁ ଗଡମଧୁପୁର ରାଜଜେମା ପୋଖରୀ କୂଳରେ ପୁଷ୍ପାଞ୍ଜଳୀ ଦେଇ ନାରାୟଣ ଗୋସାଇଁଙ୍କୁ ପ୍ରଥମେ ଆବାହନ କରିଥିଲେ । ପରେ ପୂଜକ, ବ୍ରାହ୍ମଣ, ଭକ୍ତ ମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଠାବ କରାଯାଇ ପୂର୍ବ ତୁଠକୁ ଅଣାଯାଇଥିଲା । ଆଲଟ, ଚାମର ସହ ଭଜନ କୀର୍ତନ, ବାଦ୍ୟ, ଘଂଟ, ହୁଳହୁଳିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ନାରାୟଣ ଗୋସାଇଁଙ୍କ ଠାରେ ପଇଡ ଜଳ, ପଂଚାମୃତ ଅଭିଷେକ କରାଯାଇଥିଲା । ପରେ ପ୍ରଭୁଙ୍କୁ ଜଳ କେଳି କରି ଉତର ପଟ ପାବଛ ଦେଇ ମନ୍ଦିରକୁ ନିଆଯାଇଥିଲା । ଜଳାଶୟୀ ନାରୟଣଙ୍କ ଚଳନ୍ତି ପ୍ରତିମା ଭାବେ ପୂଜିତ ମଦନ ମୋହନ ଓ ଲକ୍ଷ୍ମୀଙ୍କୁ ଏକ ସୁସଜ୍ଜିତ ବିମାନରେ ଅଣାଯାଇ ଭକ୍ତଙ୍କୁ ଦର୍ଶନ ଦିଆଯାଇଥିଲା ।

ଆଜିଠାରୁ ଏହି ଯାତ୍ରା ୩ଦିନ ଧରି ଚାଲିବ । ହଜାର ହଜାର ଜନସାଧାରଣଙ୍କ ସମାଗମକୁ ଆଖିଆଗରେ ରଖି ସ୍ଥାନୀୟ କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.