ଉଦଳା : ସାମ୍ନାକୁ ଆସିଲା ଅଧ୍ୟାପକଙ୍କ କଳା କାରନାମା । କିଏ ଜାଣିଥିଲା ଉପରୁ ଦେଖାଯାଉଥିବା ଶାନ୍ତ ସ୍ୱଭାବର ଲୋକ ଭିତରେ ଲୁଚି ରହିଥିଲା ଏଭଳି ରାକ୍ଷସ ବୁଦ୍ଧି । ନିଜର ମାଷ୍ଟରମାଇଣ୍ଡ ବୁଦ୍ଧିକୁ ଲଗାଇଥିଲେ କାମରେ କିନ୍ତୁ ତାଙ୍କରି ଜାଲରେ ନିଜେ ଫସିଗଲେ । ଅଧ୍ୟାପକ ହୋଇ ଠିକାଦାରୀରେ ଥିଲେ ସାମିଲ। ଯେଉଁଥି ପାଇଁ କାମ ଭାଗ ବଣ୍ଟାକୁ ନେଇ ହୋଇଥିଲା ମରଣାନ୍ତକ ଆକ୍ରମଣ। ୩ ଅଭିଯୁକ୍ତ ଆକ୍ରମଣ ଘଟଣାରେ ଗିରଫ ହେବା ପରେ ସାମ୍ନାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ସତ।
ଗତ ୧୨ ତାରିଖରେ ଉଦଳା ଥାନା କୁକୁରଡିମା ଛକ ନିକଟରେ ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ କୁମାର ମହାପାତ୍ର ରାସ୍ତାରେ ଯାଉଥିବା ସମୟରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଚ ରାସ୍ତାରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । କିନ୍ତୁ ଭାଗ୍ୟ ବଶତଃ ଏଥିରୁ ରୁପେଶ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏବଂ ତଦନ୍ତ ସମୟରେ ରୁପେଶ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିବା ଜାଣିବାକୁ ପାଇଥିଲା ।
ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ରୁପେଶଙ୍କୁ ହତ୍ୟା ପାଇଁ ସୁପାରୀ ଦିଆଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଯାହାକି ଠିକାଦାରୀ କାମ ଭାଗ ବଣ୍ଟାକୁ ନେଇ ଏହି ବ୍ଲୁ ପ୍ରିଣ୍ଟ ହୋଇଥିବା ବେଳେ ଘଟଣାର ମାଷ୍ଟର ମାଇଣ୍ଡ ଏବଂ ଆକ୍ରମଣ କରିବାକୁ ଆସିଥିବା ଦୁଇ ଦୁର୍ବୃତ୍ତ ଏବେ ବି ଫେରାର ରହିଛନ୍ତି। ତାଙ୍କୁ ଖୋଜୁଛି ପୋଲିସ ।
ତେବେ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ସନ୍ତୋଷ ମହାନ୍ତି ଏବଂ ନନ୍ଦନ ବିଶ୍ୱାଳ । ସେମାନେ ନୀଳଗିରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଅନନ୍ତ ନାୟକ କପ୍ତିପଦା ଅଞ୍ଚଳର । ତେବେ ମୁଖ୍ୟ ଅଭିଯୁକ୍ତ ଜଣକ ଅନନ୍ତଙ୍କୁ ସୁପାରୀ ଦେଇଥିଲେ, ପରେ ଅନନ୍ତ ଯାଇ ନୀଳଗିରି ଅଞ୍ଚଳର ସନ୍ତୋଷ ଏବଂ ନନ୍ଦନକୁ ଏହି କାଣ୍ଡ ଭିଆଇବା ପାଇଁ ସୁପାରୀ ଦେଇଥିଲେ । କିନ୍ତୁ ସେମାନେ ଉଭୟ ବାଲେଶ୍ୱରର ଦୁଇ ଜଣ ଯୁବକଙ୍କ ଦ୍ୱାରା ଏହି ଆକ୍ରମଣ କରାଇଥିଲେ। ଯେଉଁ ଦୁଇ ଜଣ ଏବଂ ପୁରା ଘଟଣାର ମାଷ୍ଟର ମାଇଣ୍ଡ ଏବେବି ଫେରାର ଅଛନ୍ତି । ଖୁବ ଶୀଘ୍ର ସେମାଙ୍କୁ ଗିରଫ କରିବ ଏବଂ ସେମାନଙ୍କ ଗିରଫଦାରୀ ପରେ ପୁରା କାହାଣୀର ପରଦା ହଟିବ ବୋଲି ପୋଲିସ କହିଛି।