ଦୀର୍ଘ ୧୫ବର୍ଷ ଧରି ଏହି ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ଚଇତା, କେବେ ଦୁଃଖ ଶୁଣିବେ ପ୍ରଶାସନ ?

ନା ଅଛି କାନ୍ଥ ନା ଅଛି ଚାଳ । ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ ଖଣ୍ଡେ ଘର । ଏ ଜରି ପାଲ ଖଣ୍ଡକ ସାହା ଭରଷା । ପାଲ ତଳେ ଜୀବନ ବିତାଉଛନ୍ତି ଅସହାୟ ବୃଦ୍ଧ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ କାଦୁଆଣୀ ଗ୍ରାମର ଦୃଶ୍ୟ । ଜରି ପାଲ ତଳେ ଜୀବନ ବିତାଉଛନ୍ତି ଏହି ଗ୍ରାମର ଚଇତା କାରୁଆ। ଖରା ହେଉ କି ବର୍ଷା ଏହି ପାଲ ତଳେ ବିତେ ଚଇତାଙ୍କ ଜୀବନ। ଦିନ କି ମାସ ନୁହେଁ ଦୀର୍ଘ ୧୫ବର୍ଷ ଧରି ରହି ଆସୁଛନ୍ତି ଏହି କୁଡ଼ିଆରେ । ଗୋଟେ ପଟେ ମଣିଷ ତ ଆଉ ଗୋଟେ ପଟେ ଶୋଇଥାନ୍ତି କୁକୁର। ବର୍ଷା ଦିନ ଆସିଲେ ରାତିରେ ନିଦ ଆସେ ନାହିଁ ।
ବୟସର ଅପରାହ୍ନରେ ଭିକ ମାଗି ବହୁ କଷ୍ଟରେ ପେଟ ପୋଷୁଛନ୍ତି ଚଇତା। ଆଜି ପର୍ଯ୍ୟନ୍ତ କୌଣସି ନେତା କି ପ୍ରଶାସନ କେହି ବୁଝିଲେନି ତାଙ୍କ କଥା। ସରକାରଙ୍କର ମାଳମାଳ ଯୋଜନା ଆଜି ବାଟ ହୋଇଯାଇଛି ଚଇତା କାରୁଆଙ୍କ ପାଇଁ। ଆବାସ ଗୃହ ଯୋଗାଇଦେବା ତ ଦୂରର କଥା ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଇନାହାନ୍ତି। ସରକାରୀ ଯୋଜନା କହିଲେ କେବଳ ଅଛି ରାସନକାର୍ଡ। ତାହା ପୁଣି KYC ଅପଡେଟ ହୋଇନଥିବାରୁ ଚାଉଳ ମଧ୍ୟ ମିଳୁ ନାହିଁ । ଏଥିପାଇଁ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚଙ୍କୁ ଜଣାଇଥିଲେ ହେଲେ ତାଙ୍କ କଥା କେହି ଶୁଣିନଥିଲେ।
ଖବର ପାଇ ଅଞ୍ଚଳର ସ୍ଵେଛାସେବୀ ସଂଗଠନ ପହଞ୍ଚି ଚଇତା କାରୁଆଙ୍କ ପାଇଁ କିଛି ରାସନ ସାମଗ୍ରୀ ଯୋଗାଇଥିଲେ। ଏବଂ ସରକାରୀ ଯୋଜନା ମାଧ୍ୟମରେ ଆବାସ ଗୃହ ଯୋଗାଇ ଦେବା ପାଇଁ ବହଳଦା ବିଡ଼ିଓଙ୍କୁ ଗୁହାରି କରିଥିଲେ। ପରେ ବହଳଦା ବିଡ଼ିଓ ଓ ଜିଲ୍ଲାପରିଷଦ ସୂର୍ଯ୍ୟମଣି ହାଁସଦା ପହଞ୍ଚି ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଆବାସ ଗୃହ, ରାସନକାର୍ଡରେ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
Also Read:କାର୍ଯ୍ୟକ୍ଷେତ୍ରରେ ଥିଲା କି ଚାପ ? କାହିଁକି ଜୀବନ ହାରିଲେ ଓଟିଭି ମାର୍କେଟିଂ ଏକଜିକ୍ୟୁଟି ,ଏବେବି ରହସ୍ୟାବୃତ୍ତ