ଡାହାଣୀ ସନ୍ଦେହରେ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା

ମୟୂରଭଞ୍ଜ : ଅନ୍ଧ ବିଶ୍ବାସ ନେଲା ୨ ଜୀବନ । ଡାହାଣୀ ସନ୍ଦେହରେ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା । ପଡ଼ୋଶୀ ହାତରେ ଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ । ତେବେ ଆଧୁନିକ ଯୁଗରେ ଲୋକେ କେତେ ଚାଲାକ୍ ହେଲେଣି। କିନ୍ତୁ ଏବେ ବି କିଛି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସର ମାୟାଜାଲ । ଆଉ ଏହି ଅନ୍ଧବିଶ୍ୱାସର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ଜନ ସାଧାରଣ । ଲୋକମାନେ ଯେତେ ଆଧୁନିକତା ଦିଗକୁ ଗଲେ ମଧ୍ୟ କିଛି କିଛି ସ୍ଥାନରେ ଅନ୍ଧବିଶ୍ୱାସର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ୁଛି । ତେବେ ଏହି ଅନ୍ଧବିଶ୍ୱାସର କୁ ପରିଣାମ ଗାଁ ମାନଙ୍କରେ ହିଁ ଦେଖିବାକୁ ମିଳୁଛି । ଏହି ଅନ୍ଧବିଶ୍ବାସ ଯୋଗୁଁ ଆଜି ଗୋଟିଏ ସଂସାର ଉଜୁଡ଼ି ଯାଇଛି । ଅନାଥ ହୋଇଯାଇଛି ପୁଅ ।

ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଡାହାଣୀ ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀଙ୍କ ହତ୍ୟା କରାଯାଇଛି । ବିଶୋଇ ଥାନାର ଖଡମବେଡା ପଞ୍ଚାୟତର କିତାବେଡା ଗାଁରେ ଘଟିଯାଇଛି ଏହି ଘଟଣା। ସ୍ବାମୀ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ନୃଶଂସ ଭାବେ ହତ୍ୟା କରିଛି ପଡୋଶୀ । ଅଭିଯୁକ୍ତ ପଡୋଶୀ ଜଣକ ହେଲେ ଅଜୟ ନାଏକ। ହତ୍ୟାକାଣ୍ଡ କରି ଫେରାର ହୋଇ ଖସି ପଳାଉଥିବା ବେଳେ ବିଶୋଇ ପୋଲିସ ତାକୁ ଧରିବାରେ ସଫଳ ହୋଇଛି ।

ମୃତକ ସ୍ବାମୀ ହେଉଛନ୍ତି ଦେବେନ୍ଦ୍ର ନାୟକ ଓ ସ୍ତ୍ରୀ ଚମ୍ପା ନାୟକ । ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଗାଁ ରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲା ଅଜୟ । ଏନେଇ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଏକ ଧାରୁଆ ମାରଣାସ୍ତ୍ରରେ ଉଭୟଙ୍କୁ ହାଣି ହତ୍ୟା କରିଛି ଅଭିଯୁକ୍ତ ଅଜୟ । ଉଭୟଙ୍କ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।