ଛୁଆ ପାଖେ ପାଖେ ଜଗି ରହୁଥିଲା ମା’ ହାତୀ, କିନ୍ତୁ ଚାଲିଗଲା ହାତୀ ଛୁଆର ଜୀବନ

ବହୁ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଥିଲା ହାତୀ ଛୁଆ । ନୀରିହ ହାତୀ ଛୁଆଟିର ଗୋଡ଼ ଏତେ ଫୁଲି ଯାଇଥିଲା ଯେ ଖାଲି ମା’ ପଛେ ପଛେ ବୁଲୁଥିଲା । ମା’ ବି ଛୁଆର କଷ୍ଟକୁ ବୁଝୁଥିଲା ସତ । କିନ୍ତୁ କଣ ବା କରି ପାରିବ । ଛୁଆ ପାଖେ ପାଖେ ଜଗି ରହୁଥିଲା । କାଳେ ଜଙ୍ଗଲି ଜନ୍ତୁ ଛୁଆ ହାତୀକୁ ଟାଣିନେବେ । କିନ୍ତୁ ଜଙ୍ଗଲୀ ଜନ୍ତୁଙ୍କ କବଳରୁ ନିଜଛୁଆକୁ ବଞ୍ଚାଇଥିଲେ ବି ଠିକ୍ ସମୟରେ ଛୁଆ ହାତୀର ଚିକିତ୍ସା ହୋଇପାରିଲାନି । ଆଉ ଏବେ ସବୁ ଦିନ ପାଇଁ ଆଖି ବୁଜି ଦେଇଛି କୁନି ହାତୀ ଛୁଆ ।
କେନ୍ଦୁଝରରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ଏବେ ସମସ୍ତଙ୍କ ମନରେ ଆଘାତ ଦେଇଛି । ଡିଏଫଓଙ୍କ ସୂଚନା ଅନୁସାର କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜର ଚମକପୁର ନିକଟସ୍ଥ ଜଙ୍ଗଲରେ ଚଳିତ ମାସ ୭ ତାରିଖରେ ଏକ ଛୁଆ ହାତୀ ଜଙ୍ଗଲରେ ଛୋଟେଇ ଛୋଟେ଼ଇ ଚାଲୁଥିଲା । ବନବିଭାଗର ସ୍କ୍ବାର୍ଡ ପିଲା ଏସବୁ ନଜର ଦେବା ପରେ ଡ୍ରୋନ କ୍ୟାମେରାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ପରେ ହାତୀ ଛୁଆର ପଛ ପଟ ଦୁଇଟି ଗୋଡ ଓ କାନ ପାଖ ଫୁଲି ଯାଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ଓୟୁଏଟି ଓ ଡବ୍ଲୁଟିଆଇ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ୧୦ ତାରିଖରୁ ହାତୀ ଛୁଆଟିର ଚିକିତ୍ସା ଚାଲିଥିଲା ଓ ହାତୀ ଛୁଆଟି ସୁସ୍ଥ ହୋଇ ଆସୁଥିଲା । ହେଲେ ଗତ ଗୁରୁବାର ରାତି ପ୍ରାୟ ୩.୩୦ ମିନିଟ ସମୟରେ ହାତୀ ଛୁଆାର ମୃତ୍ୟୁ ହୋଇଯାଇଛି । କ୍ରୋନିକ ଇନଫେକସନ କିମ୍ବା ଦନ୍ତାହାତୀର ରାଗ ଯୋଗୁଁ ହାତୀ ଛୁଆର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରୁଛି ବନ ବିଭାଗ ।
ପଶୁମାନେ ନିଜ ଯନ୍ତ୍ରଣାକୁ କହି ପାରନ୍ତିନି ସତ କିନ୍ତୁ ସେମାନଙ୍କୁ ବି କଷ୍ଟ ହୁଏ । ଆଉ ଏଇ ହାତୀ ଛୁଆ ବି ନିଜ କଷ୍ଟରୁ ବାହାରିବା ପାଇଁ ମା’ ପାଖେପାଖେ ଘୂରି ବୁଲୁଥିଲା । ଅବୋଧ ହାତୀ ଛୁଆର କଷ୍ଟକୁ ଦେଖି ହାତୀପଲ ପାଖେପାଖେ ଜଗିଥିଲେ । ଯାହାଫଳରେ ବନବିଭାଗ ଠିକ୍ ସମୟରେ ଛୁଆହାତୀର ଚିକିତ୍ସା କରାଇ ପାରିନଥିଲା । ପଶୁ ବି ହୁଅନ୍ତୁ ନା କାହିଁକି ସେମାନଙ୍କର ବି କଷ୍ଟ ଅଛି ଯନ୍ତ୍ରଣା ଅଛି । ଆଉ ଆଜି ଛୁଆ ହାତୀର ଏମିତି ମୃତ୍ୟୁ ସମସ୍ତଙ୍କୁ ଆଘାତ ଦେଇଛି ।