କାଳହେଲା କାଳବୈଶାଖୀ: ବଜ୍ରପାତରେ ୭ ମୃତ, ୧୦ ଆହତ

ଭୁବନେଶ୍ୱର (କେନ୍ୟୁଜ): କାଳହେଲା କାଳବୈଶାଖୀ । ବଜ୍ରପାତରେ ୭ ମୃତ, ୧୦ ଆହତ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣ ପ୍ରାଣ ହରାଇଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ ଗାଁରେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି । କାଳବୈଶାଖୀ ବର୍ଷାରେ ଘର ବାରଣ୍ଡାରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିବାରୁ ଉଭୟ ଖସି ପଡ଼ିଥିଲେ । ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାକୁ ଆଣିଥିବା ବେଳେ ଝିଅକୁ ମୃତ ଘୋଷଣା କରାଯାଇଥିଲା। ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହି ଛି।
ସେପଟେ କାମାକ୍ଷାନଗରରେ ବଜ୍ରାଘାତରେ ୨ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ବାଘୁଆ ଗାଁ ନିକଟରେ ବଜ୍ରାଘାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଟଙ୍କା କଲେକ୍ସନ ସାରି ଫେରୁଥିବା ବେଳେ ରେଙ୍ଗାଲି ବାମ କେନାଲ ଉପରେ ବଜ୍ରାଘାତର ଶିକାର ହୋଇଥିଲେ । ସେହିପରି ମାଳପୁରା ଗାଁରେ ଏକ ପରିବାର ଘରେ ବସିଥିବେ ବେଳେ ବଜ୍ରାଘାତରେ ଜଣକ ଜୀବନ ଯାଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରକିଟା ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଟିକାବାଲି ବ୍ଲକରେ ବଜ୍ରପାତରେ ଜଣେ ବାଳକର ମୃତ୍ୟୁ ଘଟିଛି । କେନ୍ଦୁଝର ସଦର ବ୍ଲକ ଗୁମୁରା ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି ।