ରାଜଧାନୀରେ ଅଘଟଣ: ସ୍କୁଲରେ ବସି ପାଠ ପଢୁଥିବାବେଳେ ପଡିଲା ଘଡଘଡି

ଭୁବନେଶ୍ୱର : ସ୍କୁଲ୍ ଉପରେ ପଡିଲା ଘଡଘଡି । ପୁଣି ରାଜଧାନୀ ଭୁବନେଶ୍ୱରରେ । ଚଳଚଞ୍ଚଳ ଥିଲା ରାଜଧାନୀ । ଅପରାହ୍ନ ୨ଟା ସମୟ ହେବ । ହଠାତ୍ ଘୋଟି ଆସିଲା କଳା ବାଦଲ । ଦେଖୁ ଦେଖୁ ଆରମ୍ଭ ହୋଇଗଲା ପ୍ରବଳ ବର୍ଷାକୁ ଘଡଘଡି ବିଜୁଳି । ରାସ୍ତାଘାଟ ଶୂନଶାନ ହୋଇଗଲା । ସେତେବେଳକୁ ରାଜଧାନୀର ବରମୁଣ୍ଡା ସ୍ଥିତ ରେଣ୍ଟାଲ ସ୍କୁଲରେ ଚାଲିଥାଏ ପାଠପଢା । ସ୍କୁଲରେ ବସି ପିଲାମାନେ ପାଠ ପଢୁଥାନ୍ତି । ଶିକ୍ଷକ ଶିକ୍ଷୟତ୍ରୀମାନେ ବି ପାଠ ପଢାଇବାରେ ବ୍ୟସ୍ତଥାନ୍ତି ।

ଏହି ସମୟରେ ବର୍ଷା ହେଉଥିବାବେଳେ ହଠାତ୍ ହେଲା ବଜ୍ରପାତ । ଥରି ଉଠିଲା ଛାତି । ଦେଖୁ ଦେଖୁ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭିତରୁ କିଛି ପିଲା ଆହତ ହୋଇପଡିଲେ । ତୁରନ୍ତ ସମସ୍ତ ଆହତ ଓ ଗୁରୁତର ପିଲାଙ୍କୁ ସ୍କୁଲ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହା କୁହାଯାଉଛି କି ଆହତଙ୍କ ଭିତରୁ ଜଣେ ଛାତ୍ର ପ୍ରଥମେ ଅଚେତ ହୋଇପଡ଼ିଥିଲେ । ଏହାପରେ ଆଉ ଜଣେ ଛାତ୍ରୀଙ୍କର ହାତ ଅକାମୀ ହୋଇଯାଇଥିଲା । ଯାହା ଏଯାଏ ବି କାମ କରୁନି । ତେବେ ଆହତଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀ ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଏକ ଅଘଟଣ ଘଟିବା ପରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ସ୍କୁଲ୍ କର୍ତୃପକ୍ଷଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ସୂଚନା ଥାଉକି, ଆଜିଠୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ଜାରି ହୋିଛି ୟେଲୋ ଆଲର୍ଟ । ୮ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାମାନଙ୍କରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିପରି ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୫୪୬. ୮ ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ସ୍ବାଭାବିକ ବର୍ଷା ପରିମାଣ ୬୧୫.୬ ମିମି ତୁଳନାରେ ଏହା ୧୧ପ୍ରତିଶତ ନିଅଣ୍ଟିଆ। ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୨ଟି ଜିଲ୍ଲାରେ ଅଧିକ, ୧୪ ଜିଲ୍ଲାରେ ସ୍ୱାଭାବିକ ଓ ୧୩ ଜିଲ୍ଲାରେେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ସାଧାରଣତ ବିଜୁଳି ଘଡଘଡି ମାରିଲେ ସମସ୍ତେ ଘର ଭିତରେ ରହିବାକୁ କୁହନ୍ତି କିନ୍ତୁ ଘର ଭିତରେ ବି ବିପଦ ରହିଛି ଯାହାର ଏକ ବଡ ଉଦାହରଣ ରାଜଧାନୀର ରେଣ୍ଟାଲ ସ୍କୁଲରେ ଗତକାଲି ଘଟିଥିବା ଏହି ଘଟଣା । ତେଣୁ ଏଦିଗରେ ତୁରନ୍ତ କୌଣସି ପଦକ୍ଷପ ଗ୍ରହଣ କରିବା ନୀହାତି ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.