ଅଧଘଣ୍ଟା ଆଗରୁ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ , ସାଢେ ୯ଟାରେ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ଉଠାଇଲେ ମହାଦୀପ

ଭୁବନେଶ୍ବର(କେନ୍ୟୁଜ୍) : ନିର୍ଦ୍ଧାରିତ ଅଧଘଣ୍ଟାଏ ଆଗରୁ ଉଠିଲା ପ୍ରଭୂ ଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ସଠିକ ସମୟରେ ନୀତିକାନ୍ତି ହେବାରୁ ସାଢେ ୯ଟାରେ ମହାଦୀପ ଉଠିଥିଲା। ଏହି ସମୟରେ ଓଁ ନମଃ ଶିବାୟ ଧ୍ୱନିରେ ସମଗ୍ର ମନ୍ଦିର ପ୍ରକମ୍ପିତ ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମହାଦୀପ ଦର୍ଶନ କରିଛନ୍ତି। ଶିବରାତ୍ରି ଅବସରରେ ଭକ୍ତମାନେ ପଞ୍ଚଇନ୍ଦ୍ରିୟକୁ ସଂଯୋଗ କରି କେବଳ ଶିବନାମରେ ତଲ୍ଲିନ ହୋଇଥିଲେ। ଭକ୍ତିପୂତ ଭାବେ ଉପବାସ ରହି ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ଜାଗର ପାଳିଛନ୍ତି। ମହାଦୀପ ଦର୍ଶନର ମହାର୍ଘ୍ୟ ସୁଯୋଗ ନେବାକୁ ଦିନସାରା ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। ଶେଷରେ ହରିବୋଲ, ହୁଳହୁଳି ଓ ହରହର ମହାଦେବ ଧ୍ୱନିରେ ସମର୍ଥା ସେବାୟତଗଣ ବେଢା ପରିକ୍ରମା କରି ମନ୍ଦିର ଉପରକୁ ମହାଦୀପ ଉଠାଇଥିଲେ। ମହାଦୀପ ଉଠିବା ପରେ ଭକ୍ତମାନେ ବ୍ରତ ଭାଙ୍ଗିଥିଲେ। ରାଜ୍ୟର ସମସ୍ତ ଶୈବପୀଠ ମହାଶିବରାତ୍ରି ଅବସରରେ ଭକ୍ତିର ପରିବେଶରେ ଡୁବି ରହିଥିଲା।