ଅନନ୍ୟ ପ୍ରତିଭାର ଅଧିକାରୀ କୁନି ହାଦଭିକ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ

କୁନି ବୟସରେ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ । ବୟସ ମାତ୍ର ୩ ବର୍ଷ ୬ ମାସ । କୋମଳ ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ଏବେ ସାଉଁଟିଛନ୍ତି ଅନେକ ପ୍ରଂଶସା । ଏହି ବୟସରେ ଏପରି ଅନନ୍ୟ ସ୍ମରଣ ଶକ୍ତିର ଅଧିକାରୀ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଭଗାମୁଣ୍ଡାର ହାଦଭିକ ପାଢ଼ୀ ।
ଯିଏ କି ନିଜ ସ୍ମରଣ ଶକ୍ତି ବଳରେ ଅନର୍ଗଳ ନିଜ ଜିଲ୍ଲା, ରାଜ୍ୟ, ଦେଶର ନାମ ସମେତ ଜାତୀୟ ପତାକା, ଜାତୀୟ ସଂଗୀତ, ଜାତୀୟ ପଶୁ ପକ୍ଷୀ, ଭାରତର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ନାମ, ବିଭିନ୍ନ ପର୍ବ ପର୍ବାଣି, ବହୁ ପର୍ବତ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି । ଖେଳକୁଦ ବୟସରେ ଏହି କୁନି ଶିଶୁର ଜିଭ ଅଗରେ ରହିଛି ଅନେକ ସାଧାରଣଜ୍ଞାନର ଭଣ୍ଡାର । ଏହି କୁନି ବାଳକକୁ ପଚରାଯାଉଥିବା ପ୍ରତିଟି ପ୍ରଶ୍ନକୁ ସେ ନିର୍ଭୁଲ ଭାବେ ଉତ୍ତର ଦେଇପାରୁଛି ।
ଯାହା ଫଳରେ ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇ ପାରିଛନ୍ତି ହାଦଭିକ ପାଢ଼ୀ । ଏହି କୁନି ବାଳକର ସଫଳତା ଏବେ ବାଲିଗୁଡା ସହରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ସବୁ ମହଲରୁ ଶୁଭେଚ୍ଛା ସହ ପ୍ରଂଶସାର ସୁଅ ଛୁଟୁଛି । ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ତାଙ୍କ ନିକଟକୁ ଆସି ପହଞ୍ଚିଛି ପ୍ରମାଣ ପତ୍ର, ମେଡାଲ, ପରିଚୟ ପତ୍ର ଓ ବ୍ୟାଚ । ବାଲିଗୁଡା ଭଗାମୁଣ୍ଡାର ବାପା ବିଭୁତି ଭୂଷଣ ପାଢ଼ୀ ଓ ମା ପ୍ରିୟଙ୍କା ପାଢ଼ୀଙ୍କ ୩ ବର୍ଷର ଏହି ଶିଶୁ ହାଦଭିକ ।
ହାଦଭିକଙ୍କୁ ମାତ୍ର ୧୫ ମାସ ବୟସ ହୋଇଥିବା ବେଳେ ସେ ଅନେକ କଥାକୁ ଭଲଭାବେ ସ୍ମରଣ ରଖି କହିପାରୁଥିଲେ । ଏହା ଦେଖି ହାଦଭିକଙ୍କ ପିତା ମାତା ବାଲିଗୁଡାର ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲରେ ନର୍ସରୀରେ ତାଙ୍କ ନାମ ଲେଖାଇଥିଲେ । ସ୍କୁଲର ଅଧକ୍ଷ୍ୟ ଓ ଶିକ୍ଷୟତ୍ରୀଙ୍କ ତତ୍ୱାବଧାନରେ ଅନେକ ବିଷୟ ଜାଣିବା ସାଙ୍ଗକୁ ସବୁ ପ୍ରଶ୍ନର ପ୍ରାଞ୍ଜଳ ଭାବେ ଉତ୍ତର ଦେଇପାରୁଥିଲେ ହାଦଭିକ । ତେବେ ଏହି ସଫଳତା ପାଇଁ ହାଦଭିକଙ୍କ ପିତାମାତା ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲର କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅନୁଷ୍ଠାନ ପକ୍ଷରୁ ମଧ୍ୟ ହାଦଭିକଙ୍କୁ ଖୁବ ପ୍ରଶଂସା କରାଯିବା ସହ ପୁରସ୍କୃତ ମଧ୍ୟ କରାଯାଇଛି । ହାଦଭିକଙ୍କ ଏଭଳି ପ୍ରତିଭାକୁ ନେଇ ଏବେ ପ୍ରଂଶସାର ସୁଅ ଛୁଟୁଥିବା ବେଳେ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଅଞ୍ଚଳବାସୀ । ମାତ୍ର ୩ ବର୍ଷ ବୟସରେ ନିଜ ବୁଦ୍ଧିମତା ବଳରେ ସାଧାରଣଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବେ କହି ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।