ରସିକିଆ କାଳିଆ ଠାକୁରଙ୍କ ପାଇଁ କେଇ ଖଣ୍ଡ କାଠରେ ତିଆରି ହୋଇଛି କୁନି ରଥ

ବାଙ୍ଗିରିପୋଷି: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ , ବିଜେ କରିଛନ୍ତି ତିନି ଠାକୁର । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଖେରଣା ଗ୍ରାମରେ କୁନି ରଥରେ ବିଦ୍ୟମାନ ହୋଇ ମାଉସୀ ଘରକୁ ଗଲେ ତିନି ଠାକୁର। ରସିକିଆ କାଳିଆ ଠାକୁରଙ୍କ ପାଇଁ କେଇ ଖଣ୍ଡ କାଠରେ ତିଆରି ହୋଇଛି କୁନି ରଥ। ଆଉ ତା’ ଭିତରେ ନିମ୍ବ କାଠରେ ନିର୍ମିତ ତିନି ଠାକୁରଙ୍କ ପ୍ରତିମୂର୍ତ୍ତି । ଅତି ନିଖୁଣ କାରିଗରୀର ଉଦାହରଣ ଦେଇ ଅତି ସୁନ୍ଦର ଭାବେ ତିନି ଠାକୁର ଓ ରଥକୁ ନିର୍ମାଣ କରିଛନ୍ତି ପ୍ରକାଶ ସାହୁ। ତାଙ୍କ ଟିକି ହାତର ତୁଳୀରେ ମୋଟ୍ ୭ ଗୋଟି ଶାଳକାଠ ଓ କିଛି ବାଉଁଶରେ ସେ ଏହି ତିନି ରଥ ନିର୍ମାଣ କରିଛନ୍ତି ।
୬.୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରଥରେ ବସିଥିବା ତିନି ଦିଅଁଙ୍କ ମୂର୍ତ୍ତି ନିମ୍ବ କାଠରେ ନିର୍ମିତ ହୋଇଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୬ ଇଞ୍ଚ ରହିଛି । ଶ୍ରୀକ୍ଷେତ୍ରର ରଥଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥ ସଦୃଶ ଏହି ରଥ ପ୍ରସ୍ତୁତ କରାଯାଇଛି। କାଠକୁ କାଠରେ ଯୋଡ଼ି ରଥ ନିର୍ମାଣ ହୋଇଛି । ରଥରେ ନାଲି, ହଳଦିଆ, ସବୁଜ ରଙ୍ଗ ଦେଇ ତାକୁ ଆକର୍ଷିତ କରାଯାଇଛି । ତିନି ରଥ ଓ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ୯ ଦିନ ସମୟ ଲାଗିଥିଲା । ପ୍ରକାଶଙ୍କ ଏହି କୁନି ରଥରେ ତିନି ଠାକୁର ରାଥାରୁଢ ହୋଇ ମାଉସୀ ଘରେ ପହଁଚିଲେ । ଖେରଣା ଗ୍ରାମର ଅନେକ ବ୍ୟକ୍ତି ବିଶେଷଙ୍କ ମନରେ ଆନନ୍ଦ ଉଲ୍ଲାସର ସହିତ ଗ୍ରାମର ମହିଳାମାନେ ମଧ୍ୟ ପ୍ରଶଂସା କରିଛନ୍ତି ।