କୁନି କୁନି ପିଲା ନେଲେ ପ୍ରାଥମିକ ଉପଚାରର ତାଲିମ, ଜରୁରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ହେବ ସହଜ

ବିନିକା: ପ୍ରାଥମିକ ଉପଚାର ବା First Aid ବିଷୟରେ ଜାଣିବା ନିହାତି ଜରୁରୀ । ପ୍ରାଥମିକ ଉପଚାର ବିଷୟରେ ଜାଣିଥିଲେ ଲୋକଙ୍କ ଜୀବନ ବଞ୍ଚାଇବା ସହଜ ହୁଏ । ଏହି ତାଲିମ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଆମ ସମାଜରେ ୯୦ ପ୍ରତିଶତ ଲୋକ ପ୍ରାଥମିକ ଉପଚାର ନପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଦୁର୍ଘଟଣା ବା ଅସୁବିଧା ସମୟରେ ଯଦି ଠିକ୍ ସମୟରେ ସଠିକ୍ ପ୍ରାଥମିକ ଉପଚାର ମିଳିବ ତେବେ ଅନେକ ଗୁଡ଼ିଏ ଜୀବନ ବଞ୍ଚିଯିବ । କିନ୍ତୁ ସଠିକ୍ ପ୍ରାଥମିକ ଉପଚାର ପାଇଁ ସଠିକ ବ୍ୟକିଙ୍କ ଠାରୁ ତାଲିମ ନେବା ବି ଜରୁରୀ ।

ତେଣୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଢ଼େଇପଙ୍କ ଗାଁରେ ଥିବା ହ୍ୟାପି ହ୍ୟାଣ୍ଡସ୍ ସ୍କୁଲ ଫର୍ ଦି ଡେଫ ର ମୁକ ବଧିର ଛାତ୍ରଛାତ୍ରୀମାନେ ରେଡକ୍ରସର ଲେ ଅଧ୍ୟାପକ ଅଶୋକ ପାଣ୍ଡିଆ ଙ୍କ ଠାରୁ ପ୍ରାଥମିକ ଉପଚାର ବା first aidକୁ ନେଇ ତାଲିମ ଗ୍ରହଣ କରିଛନ୍ତି । କୌଣସି ଦୁର୍ଘଟଣା ଘଟିଥିବା ଲୋକକୁ କିପରି ସାହାଯ୍ୟ କରିବ, ହୃଦଘାତ ଜନିତ ବ୍ୟକ୍ତିର କିପରି ଜୀବନ ରକ୍ଷା କରିହେବ ତଥା ସାପ କାମୁଡିଥିବା ଲୋକକୁ କିପରି ଭାବେ ରକ୍ଷା କରିହେବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ ଅଧ୍ୟାପକ । ମୁକ ବଧିର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସୁକତାର ସହ ତାଲିମ ଗ୍ରହଣ କରିବା ସହ ନାନା ପ୍ରକାର ପ୍ରଶ୍ନ ପଚାରି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଶିବାଜି ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସାଙ୍କେତିକ ଭାଷାରେ ସମସ୍ତ ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ ।

ଦିବ୍ୟାଙ୍ଗ ହୋଇଥିଲେ ବି ଏମାନଙ୍କ ମନରେ ଦୁଃଖ ନାହିଁ । ସବୁ ବିଷୟରେ ଶିକ୍ଷା ଗ୍ରହଣ କରି ସମାଜରେ କେମିତି ବଞ୍ଚିବେ ସେଥିପାଇଁ ଚେଷ୍ଟା କରୁଛନ୍ତି । ଏହି କୁନି କୁନି ପିଲାଙ୍କୁ ଯଦି ଏବେ ଠାରୁ ପ୍ରାଥମିକ ଉପଚାର ବିଷୟରେ ଶିକ୍ଷା ଦିଆଯିବ ତେବେ ଭବିଷ୍ୟତରେ ଏମାନେ ଅନେକ ଲୋକଙ୍କ ସାହାଯ୍ୟ କରିପାରିବେ । ଏଭଳି ଉଦ୍ଦେଶ୍ୟ ନେଇ ଅଧ୍ୟାପକ ଅଶୋକ ପାଣ୍ଡିଆ ପିଲାମାନଙ୍କୁ ତାଲିମ ଦେଇଥିଲେ ।

You might also like