ଚାଲିଥିଲା ବାହାଘର ପ୍ରସେସନ, ବାଣ ପାଇଁ ଚାଲିଗଲା ଜୀବନ

ଚାଲିଥିଲା ବାହାଘର ପ୍ରୋସେସନ । କିନ୍ତୁ ହଠାତ କଣ ହେଲା କେଜାଣି ସବୁ କିଛି ନୀରବି ଗଲା । ସବୁ ବାହାଘର ପାଇଁ ଖୁସି ଥିବାବେଳେ ଘଟଲା ଅଘଟଣ । କାହିଁକି ନା ବାଣ ପାଇଁ ଜଣେ ଗରିବ ଲୋକର ଜୀବନ ଚାଲିଗଲା । ଗରିବ ଲୋକ ଥିଲେ ଉଗ୍ରସେନ । ପରିବାର ଚଳାଇବା ପାଇଁ ବାଣ ବ୍ୟବସାୟରେ ନିଯୁକ୍ତ ଥିଲେ । କିନ୍ତୁ ଏଇ ବାଣ ଯେ ତାଙ୍କ ଜୀବନ ନେବ କେହି କେବେ ଭାବି ବି ନଥିଲେ ।
ବିବାହ ପ୍ରସେସନରେ ବାଣ ଫୁଟାଉଥିବାବେଳେ ଉଗ୍ରସେନଙ୍କ ଜୀବନ ଚାଲିଗଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଶୁସୁବା ଗ୍ରାମପଞ୍ଚାୟତ ଗେଙ୍ଗୁଟିଆ ଗାଁର ଯାତ୍ରାକର ସାହୁଙ୍କ ପୁଅ ସଚିନ୍ ଚନ୍ଦ୍ର ସାହୁଙ୍କର ବିବାହ ଥିଲା । ଏନେଇ ବର ଘର ପକ୍ଷ ଗାଁରୁ ଦେବଗଡ ଜିଲ୍ଲା ବସାଲୟୀ ଗ୍ରାମପଞ୍ଚାୟତ କୁଣ୍ଡାପଶି ଗାଁକୁ ପ୍ରସେସନ ବାହାରିଥିଲା । ବର ପକ୍ଷ ନିଜ ଗାଁରେ ଧୁମଧାମରେ ବାଣ , ରୋଷଣୀ, ଡିଜେ ଆଦି ନେଇ ପ୍ରସେସନ ଚଲାଇଥିଲେ । ତୋପ ବାଣ ତାଳଚେର ରୁ ଅଣାଯାଇଥିବାବେଳେ, ବାଣ ଫୁଟାଇବାକୁ ସନ୍ତପଡା ଗାଁର ୪୫ ବର୍ଷୀୟ ବ୍ୟକ୍ତି ଉଗ୍ରସେନ ବେହେରାଙ୍କୁ ଦୋକାନ ମାଲିକ ପଠାଇଥିଲେ । ବାଣ ଫୁଟାଉଥିବା ବ୍ୟକ୍ତି ବାଣ ଭର୍ତ୍ତିଥିବା ବ୍ୟାଗଟିକୁ ନିଜ କାନ୍ଧରେ ଧରିଥିଲେ । ତୋପ ବାଣ ଫୁଟାଇବା ସମୟରେ ତୋପର ଭାରସାମ୍ୟ ହରାଇବାରୁ ବାଣର ନିଆଁ ହଠାତ୍ ଆସି ବାଣ ବ୍ୟାଗରେ ପଡିଥିଲା । ବାଣ ବ୍ୟାଗଟି ନିଆଁ ଲାଗିବାରୁ ଉଗ୍ରସେନ ପାଖାପାଖି ୧୦ ରୁ ୧୫ ଫୁଟ୍ ଉପରକୁ ଉଠି ତଳେ କଚାଡ଼ି ହୋଇପଡ଼ିଥିଲେ । ଯାହା ଫଳରେ ପୋଡିଯାଇଥିବା ଅବସ୍ଥାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ରେଙ୍ଗାଳି ପୋଲିସ ପହଞ୍ଚିଥିଲା ସତ କିନ୍ତୁ ଆଖପାଖରେ କାହାକୁ ପାଇନଥିଲା ପୋଲିସ । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ।
ସବୁ ଖୁସି କ୍ଷଣିକରେ ସରିଗଲା । ମୃତ୍ୟୁର ନା ଥାଏ ସମୟ ନା ଥାଏ ସ୍ଥାନ । କିନ୍ତୁ ଅସାବଧାନତା ପାଇଁ ମୃତ୍ୟୁକୁ ଡାକି ଆଣିବା ନିଶ୍ଚିତ ଭାବେ ଭୁଲ । ବାଣ ଫୁଟାଇବା ବେଳେ ବାରମ୍ବାର ସତର୍କ ରହିବାକୁ କୁହାଯାଏ । କିନ୍ତୁ କିଛି ଲୋକଙ୍କ ଅବହେଳା ନୀତି ପାଇଁ ଏମିତି ଅବେଳରେ ଅନେକଙ୍କ ଜୀବନ ଯାଉଛି ।