ଲୁଟର ନୂଆ ଫଣ୍ଡା, ସିସିଟିଭିରେ ରେକର୍ଡ ହେଲା ଚୋରିର ଲାଇଭ ଭିଜୁଆଲ

ଉଦଳା: ଲୁଟର ନୂଆ ଫଣ୍ଡା । କ୍ୟାମେରା ମ୍ୟାନ ହୋଇ ବରପକ୍ଷରୁ ଆସିଲେ । ଆଉ ବରଯାତ୍ରୀ ପହଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଉଦଳା ଥାନା ବୈରାଟପୁର ଗାଁରେ ଘଟିଛି । ଗାଁର ସୁଶୀଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ତେବେ ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ । ବରପକ୍ଷ ପହଞ୍ଚିବା ପରେ କନିଆର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କ ବାଇକ ପାଇ ନଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାହାକୁ ଦେଖିବା ପରେ ବରପକ୍ଷ କ୍ୟାମେରା ମ୍ୟାନ ପିଲାଙ୍କ ମଧ୍ୟରୁ ଜଣେ ଯୁବକ ବାଇକ ଲକ୍ ଭାଙ୍ଗି ବାଇକ ନେଇ ଫେରାର ମାରୁଥିବା ଦେଖିବାକୁ ପାଇଥିଲେ । ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକାଇ ରଖିବା ସହିତ ଏନେଇ ଉଦଳା ପୋଲିସ କୁ ଖବର ଦେଇଥିଲେ ପରିବାର । ପୋଲିସ ଏବେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଅନ୍ୟପଟେ ଉଦଳାରୁ ଅନ୍ୟ ଏକ ସ୍ଥାନରୁ ମଧ୍ୟ ଚୋରି ହୋଇଛି । ଘରେ କେହି ନ ଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରୁ ଟିଭି ସହିତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗାଁର ଅକ୍ଷୟ ବେହେରା ପରିବାର ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୋର ଅଞ୍ଚଳକୁ ଯାଇଥିଲେ । ହେଲେ ପରଦିନ ତାଙ୍କ ଘର ମୁଖ୍ୟ କବାଟ ଖୋଲାଥିବା ଦେଖି ପଡୋଶୀ ତାଙ୍କୁ ଫୋନ କରି ଜଣାଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ଘରକୁ ଫେରି ଆସିଥିଲେ । ଆଉ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଘର ମୁଖ୍ୟ କବାଟ ତାଡି ଘର ଭିତରେ ପଶି ଟିଭି, ଇନଭର୍ଟର, ଲାପଟପ ସହିତ ଗଡରେଜ ଭାଙ୍ଗି ସେଥିରେ ଥିବା ୪ ଲକ୍ଷ ରୁ ଅଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଯାହା ଜାଣିବା ପରେ ପରିବାର ଲୋକେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିବାହ ହେଉ କି ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ ଏହି ସମୟରେ ଘର ଲୋକେ ବ୍ୟସ୍ତ ରୁହନ୍ତି । ଏହାରି ଭିତରେ ଲୁଟେରାମାନେ କେମିତି ଲୁଟ୍ କରିବେ ସେହି ଚିନ୍ତାରେ ଥାଆନ୍ତି । ଆଉ ସୁଯୋଗ ମିଳିଲେ ଟଙ୍କା, ସୁନା ଓ ଏମିତି ବାଇକ୍ ଭଳି ଦାମୀ ଜିନିଷ ନେଇ ଛୁ ମାରନ୍ତି । ତେଣୁ ଦର୍ଶକ ବନ୍ଧୁ ଆପଣ ଯେମିତି ଏଭଳି ଲୁଟେରାଙ୍କ ଠାରୁ ସତର୍କ ରୁହନ୍ତୁ । ନଚେତ ଆପଣ ବି ଏମିତି ଲୁଟର ଶିକାର ହୋଇପାରନ୍ତି ।