କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜ କେଶ ଦାନ କରିଦେଲେ ଲିଜା
ଲିଜା ନାୟକ, ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ସ୍ନାତକ ପଢ଼ା ସାରି ଜୀବନ କଣ ଜାଣିବାକୁ ଚେଷ୍ଟା କଲା ବେଳେ ମେଡିକାଲ ପରିସରରେ ଦେଖିଥିଲେ ଜଣେ କର୍କଟ ରୋଗୀଙ୍କୁ ।

ଭୁବନେଶ୍ୱର (କେନ୍ୟୁଜ): ଆଜିର ଦୁନିଆରେ ସମସ୍ତଙ୍କୁ ଦୁଃଖ ଦେବା କଷ୍ଟ ଦେବା ଅତି ସହଜ କିନ୍ତୁ କାହା ମୁହଁରେ ଟିକିଏ ହସ ଫୁଟାଇଵା ବହୁତ କଷ୍ଟ । ଆଉ ଏହି ସମାଜରେ ପ୍ରତ୍ୟେକ ଦିନ ବିନା ହସରେ ବଂଚିଥିବା ମଣିଷ ଅନେକ ଅଛନ୍ତି । ସେମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଏ ଦୁନିଆରେ କେଉଁଠି ହଜି ଯାଆନ୍ତି । କିଏ ବିଧିର ବିଧାନ ଆଗରେ ମଥା ନୁଆଇଁ ଲୁହ ପିଇ ବଞ୍ଚିଥାନ୍ତି ତ ଆଉ କିଏ ସମସ୍ୟାକୁ ସାମ୍ନା କରିଥାନ୍ତି ।
ଆଜି ଆମେ କହିବାକୁ ଯାଉଛୁ କର୍କଟ ରୋଗରେ ପୀଡିତ ଲୋକଙ୍କ କଥା । ଯିଏ ବିଧିର ବିଧାନ ଆଗରେ ହୋଇଯାଇଛନ୍ତି ନାଚାର । ଆଉ ଏମାନଙ୍କ ମୁହଁରେ ଯିଏ ଟିକିଏ ହସି ଖେଳିବାକୁ ଚେଷ୍ଟା କରନ୍ତି, ଆମେ ସେମାନଙ୍କୁ ଅମୁଲ୍ୟ ରତ୍ନ କହିବା ଭୁଲ ହେବନି । ତେବେ କର୍କଟ ରୋଗୀ ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଭିନ୍ନ ଏକ ପ୍ରୟାସ କରି ଯିଏ ଚର୍ଚ୍ଚାରେ ଅଛନ୍ତି କାକଟପୁରର ଲିଜା । ସେଥିପାଇଁ ନିଜର ସୌନ୍ଦର୍ଯ୍ୟକୁ ସେ ଦାନ କରିଦେଇଛନ୍ତି । ତେବେ ସେ ସୌନ୍ଦର୍ଯ୍ୟ କଣ, କର୍କଟ ରୋଗୀଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ କଣ ଏବଂ ସେମାନଙ୍କ ମୁହଁରେ ସେ କେମିତି ହସ ଫୁଟାଇ ପାରିଛନ୍ତି ଚାଲନ୍ତୁ ସେ ବିଷୟରେ ଜାଣିବା। ।
ଲିଜା ନାୟକ, ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ସ୍ନାତକ ପଢ଼ା ସାରି ଜୀବନ କଣ ଜାଣିବାକୁ ଚେଷ୍ଟା କଲା ବେଳେ ମେଡିକାଲ ପରିସରରେ ଦେଖିଥିଲେ ଜଣେ କର୍କଟ ରୋଗୀଙ୍କୁ । ଜଣେ କର୍କଟ ରୋଗୀ ଯେତେବେଳେ ରୋଗାକ୍ରାନ୍ତ ହୁଏ ସେତେବେଳେ ଏ ଦୁନିଆ ତାଙ୍କୁ ଅନ୍ଧାର ଲାଗେ । ବଞ୍ଚିବା ପାଇଁ ରାହା ଯେପରି ହଜି ଯାଏ । ଆଉ ସେମାନେ ହଜି ଯାଆନ୍ତି ଏଦୁନିଆ ଏସମାଜର ଦିବାଲୋକରେ । ଅନ୍ଧାର ଭିତରେ ।
ସବୁଠାରୁ ବଡ଼ କଥା ହେଲା ଜଣେ ମହିଳା କିମ୍ବା ଯୁବତୀ କର୍କଟ ରୋଗରେ ଆକ୍ରାନ୍ତ ହେଲେ କିଛି ଦିନ ପରେ ସେମାନଙ୍କର ଚୁଟି ଝଡିବା ଦେଖାଯାଏ । ଚିକିତ୍ସିତ ହେଉଥିବା ଔଷଧର ପ୍ରଭାବରେ ସେମାନଙ୍କ କେଶ ସବୁ ଝଡି ଯାଇଥାଏ । ଆପଣ ତ ଜାଣିଛନ୍ତି କେଶ ହେଉଛି ଜଣେ ନାରୀ ପାଇଁ ତା ସୌନ୍ଦର୍ଯ୍ୟ । ଆଉ ସେହି କେଶ ଯେତେବେଳେ ଝଡିଯାଏ ସେତେବେଳେ ସେମାନେ ମାନସିକ ସ୍ତରରେ ବହୁତ ମାତ୍ରାରେ ଭାଙ୍ଗି ପଡନ୍ତି । ତେଣୁ ଏ ଭଳି ଯୁବତୀଙ୍କ ପାଇଁ କିଛି ମହିଳା ଓ ଯୁବତୀଙ୍କ ଠାରୁ କେଶ ସଂଗ୍ରହ କରି ସେଥିରୁ କୃତ୍ରିମ କେଶ ପ୍ରସ୍ତୁତ କରି ସେମାନଙ୍କ ମୁଣ୍ଡରେ ଲଗାଇବାର ଏଠି ଚାଲିଛି ଅଭିନବ ପ୍ରଚେଷ୍ଠା । ଆଉ ଲିଜା ଏହି ମହତ କାମ ପାଇଁ ନିଜ କେଶ ଦାନକରି ବେଶ ଆଦର ସାଉଁଟିଛନ୍ତି । ଏଭଳି ଜଣେ ଝିଅ ଆଜିର ସମାଜରେ ଏହି ଦୁଃଖୀ ମଣିଷଙ୍କ ପାଇଁ କିଛି ଚିନ୍ତା କରି ନିଜର ୧୭ ଇଞ୍ଚର କେଶକୁ ଦାନ କରିଛନ୍ତି ଲିଜା। ଏତଦବ୍ୟତୀତ, ଏ ଭଳି ମହତ କାମ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଅନ୍ୟମାନଙ୍କୁ ଆହ୍ୱାନ କରିଛନ୍ତି ଏହାଠାରୁ ବଳି ସୁଵିଚାର ଆଉ କଣ ହୋଇ ପାରେ ? ସତରେ, ଦେଖିବାକୁ ସେ ଯେମିତି ସୁନ୍ଦର, ତାଙ୍କ ଚିନ୍ତାଧାରା ବି ସେମିତି ସୁନ୍ଦର ।