ଖେଳ ପଡ଼ିଆରେ ବ୍ୟବସାୟିକ ଓ ପାର୍କ ନିର୍ମାଣ, ଧାରଣା ଦେଲେ ଶତାଧିକ କୁନି ଖେଳାଳି ଓ ସ୍ଥାନୀୟ ବାସିନ୍ଦା
କଟକ : ଖେଳ ପଡ଼ିଆରେ ନିର୍ମାଣ ହେଉଛି ବ୍ୟବସାୟିକ ଓ ପାର୍କ । ପ୍ରତିବାଦରେ ପଡ଼ିଆ ନିକଟରେ ଧାରଣା ଦେଲେ ଶତାଧିକ କୁନି ଖେଳାଳି ଓ ସ୍ଥାନୀୟ ବାସିନ୍ଦା । କଟକ ସିଡିଏ ସେକ୍ଟର ୯ରେ ଥିବା ଏକ ବିଶାଳ ଖେଳ ପଡ଼ିଆ ଆଗରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସେକ୍ଟର ୯ରେ ଥିବା ଖୋଲା ପଡିଆକୁ ତିନି ଦଶନ୍ଧି ଧରି ତିନୋଟି ସେକ୍ଟରର କୁନି କୁନି ପିଲାମାନେ ଖେଳୁଥିଲେ । ଏପରିକି ସେଠାରେ ଖୋଖୋ, ଫୁଟବଲ ଓ ହ୍ୟାଣ୍ଡ ବଲ ଖେଳି ପରେ ଜାତୀୟସ୍ତରରେ ପ୍ରତିନିଧିତ୍ବ କରିଛନ୍ତି । ଏହା ସହ ସାଧାରଣ ଲୋକେ ମଧ୍ୟ ପଡ଼ିଆକୁ ସାର୍ବଜନୀନ କାମରେ ବ୍ୟବହାର କରୁଥିଲେ ।
କିନ୍ତୁ ଗତ କିଛି ମାସ ହେବ ଏହାକୁ ଚଞ୍ଚକତାପୂର୍ଣ୍ଣ ଭାବେ ହାତେଇ ସେଠାରେ ଏକ କଲ୍ୟାଣ ମଣ୍ଡପ ଓ ପାର୍କ ନିର୍ମାଣ କାମ ଆରମ୍ଭ କରାଯାଇଛି । ଏହାକୁ ବିରୋଧ କରି ଶତାଧିକ ଖେଳାଳୀ ଓ ସାଧାରଣ ଲୋକ ଆଜି ଧାରଣା ଦେଇଛନ୍ତି । ସବୁ ସେକ୍ଟରରେ ଖେଳ ପଡିଆ ଓ ଖୋଲା ସ୍ଥାନ ରହିବା ନେଇ ବ୍ୟବସ୍ଥା ଥିବା ବେଳେ କିପରି ଏହାକୁ ବେଖାତିର କରି ବ୍ୟବସାୟିକ ନିର୍ମାଣ କରାଯାଉଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ ।