ଗ୍ରାମରେ ଘଟୁଛି ଅଲୌକିକ ଘଟଣା, ରାତି ହେଲେ ଠେଙ୍ଗା ଧରି ଜଗୁଛନ୍ତି ଗ୍ରାମବାସୀ

ପାରାଦୀପ: ଅଣ୍ଟା ତଳକୁ ଧଳା ଲୁଗା, ଅଣ୍ଟା ଉପରକୁ ଦେଖାଯାଉନି କିଛି । ପାଖକୁ ଗଲେ ଉଭେଇ ଯାଉଛି, ଗୋଡାଇଲେ କୁଆଡେ ପଳାଉଛି ଜଣା ପଡୁନି । ହଠାତ୍ ରାତିରେ ଲିଭିଯାଉଛି ଷ୍ଟ୍ରିଟ ଲାଇଟ । ପୁଣି କିଛି ସମୟ ମଧ୍ୟରେ ଜଳି ଉଠୁଛି ଲାଇଟ୍ । ଆଉ ସେହି ୧୫ ମିନିଟ ଭିତରେ ରାସ୍ତାରେ ଥୁଆ ହେଉଛି କଣ୍ଟା ମରା ହୋଇଥିବା ଲେମ୍ୱୁ, ପଣା ଘଡି, ରକ୍ତ ଛିଟା, ସିନ୍ଦୁର, ଫୁଲ ଓ ଜଳୁଥିବା ଦୀପ ।
ବେଳ ବୁଡିବା ଆଗରୁ ଗାଁର ବାଡୁଅ ପୁଅ ଏବଂ ଝିଅ ମାନଙ୍କୁ ଘରେ ପୁରାଇ ରଖୁଥିବା ବେଳେ କିଛି ଯୁବତୀଙ୍କୁ ନିଜର ବନ୍ଧୁ, ବାନ୍ଧବ ଘରକୁ ପଠାଇ ଦେଉଛନ୍ତି ପରିବାର ଲୋକେ । ତେବେ ରାତିରେ ବାହାରୁଛି କିଏ ? ଭୂତ,ପ୍ରେତ ନା ତାନ୍ତ୍ରିକ ? ଏହି ଘଟଣାକୁ ନେଇ ଏବେ କୁଜଙ୍ଗ ବ୍ଲକର ଅଢଙ୍ଗ-ପାରିଅଙ୍ଗ ଗାଁରେ କୋକୁଆ ଭୟ । ରାତି ୧୧ ଟାରୁ ରାତି ୩ଟା ଭିତରେ ଗାଁରେ ଘଟୁଛି ଏଭଳି ଅଦ୍ଭୁତ ଘଟଣା । ଯାହାକୁ ନେଇ ଭୟରେ ରାତିରେ ଠେଙ୍ଗା ବାଡି ଧରି ପହରା ଦେଉଛନ୍ତି ଗାଁ ଲୋକେ । ଏଇ ଶୁଣୁ ନାହାଁନ୍ତି ଗାଁ ଲୋକେ କଣ କହୁଛନ୍ତି ?
ତେବେ ଅଢଙ୍ଗ-ପାରିଅଙ୍ଗ ଗାଁର ଶ୍ମଶାନ, ରାସ୍ତା ଉପରେ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏବେ ମାଆଙ୍କ ପାର୍ବଣ ପକ୍ଷ ଚାଲିଥିବାରୁ ଏହା କୌଣସି ତାନ୍ତ୍ରିକର ତନ୍ତ୍ର ପରୀକ୍ଷା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଘଟଣା ପାଖ ଗାଁରେ ଘଟିଥିଲା । ଯାହାର ପ୍ରଭାବରେ ୧୮ ରୁ ୨୫ ବର୍ଷର କିଛି ଯୁବତୀଙ୍କୁ ଜ୍ବର ହେଉଥିଲେ ମଧ୍ୟ ଡାକ୍ତରଖାନାରେ ରିପୋର୍ଟରୁ କିଛି ବାହାରୁ ନଥିଲା । ଆଉ ବେଳେ ବେଳେ ସେମାନେ ଅସ୍ଵାଭାବିକ ଆଚରଣ କରୁଥିବା ପ୍ରକାଶ କରିଛନ୍ତି। ଏବେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଉ ତାଙ୍କ କହିବାନୁଯାୟୀ ପୂର୍ବ ପୁରୁଷ ସମୟରୁ ଏଭଳି ଘଟୁଥିବା ବେଳେ ସେଇଟା ବର୍ତ୍ତମାନ ଗାଁରେ ପୁନରାବୃତ୍ତି ହେଉଛି । ତେବେ କୁଜଙ୍ଗ ବ୍ଲକର ଅଢଙ୍ଗ-ପାରିଅଙ୍ଗ ଗାଁର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟି ଥିବା ବେଳେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।