ବାଙ୍କୀ: କରୋନା ଭୟରେ କାନ୍ଧ ଦେଲେନି କେହି, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଉଠିଲା ମହିଳାଙ୍କ ମୃତଦେହ

ବାଙ୍କୀ (କେନ୍ୟୁଜ୍)  ମରିଗଲା ମାନବିକତା । ମୃତ୍ୟୁ ପରେ ବି ମିଳିଲାନି କାନ୍ଧ । ୧୦ ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡିରହିବା ପରେ ବି ଗ୍ରାମବାସୀ କି ସରପଞ୍ଚ କେହି ବି ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କଲେ ନାହିଁ । ଶବ ଦାହର ବ୍ୟବସ୍ଥା କରିବା ପାଇଁ ପୋଲିସ ଓ ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ତାଙ୍କ କାମ ନୁହେଁ କହି ହାତ ଝାଡିଦେଲେ। ଶେଷରେ ଜିଲ୍ଲାପାଳ ଏଥିରେ ହସ୍ତକ୍ଷପ କରି ମରଶରୀରକୁ ଉଠାଯାଇଥିଲା।

banki

ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ହରିରାଜପୁର ଗ୍ରାମରେ । ଗତ କିଛି ଦିନ ଧରି ହରିରାଜପୁର ଗାଁର ୫୫ ବର୍ଷୀୟା ମହିଳା ମୀନତି ନନ୍ଦ ଜ୍ୱରରେ ପୀଡିତ ଥିଲେ । ଶୁକ୍ରବାର ସନ୍ଧ୍ୟାର ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ଭୟରେ ତାଙ୍କ ଶବ ଉଠାଇବାକୁ ଗାଁ ଲୋକ ମନା କରିଦେଲେ । ମୃତା ମହିଳାଙ୍କ ସଂପର୍କୀୟ ଶବ ସତ୍କାର ଲାଗି ଗାଁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏପରିକି ଗାଁର ସରପଞ୍ଚ ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କରିନଥିଲେ । ସେହି ଗାଁର ଜଣେ ଶିକ୍ଷିତ ଯୁବକ ନାରାୟଣ ରଥ କଟକ ଜିଲ୍ଲାପାଳଙ୍କୁ ଫୋନ୍ କରି ସମସ୍ତ କଥା କହିବା ପରେ ଶବ ଉଠିବା ନେଇ ଜିଲ୍ଲାପାଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଲେ ।

ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀ ତହସିଲଦାର ଓ ଆରଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଡମପଡାରୁ ଆମ୍ବୁଲାନ୍ସ ଆସିବା ପରେ ନାରାୟଣ ରଥ ଓ ମୃତା ମହିଳାଙ୍କ ସଂପର୍କୀୟ ପିପିଇ କିଟ୍ ପିନ୍ଧି ମୃତଦେହକୁ ଆମ୍ବୁଲାନ୍ସରେ ରଖିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ କଟକ ସତିଚଉରା ଶ୍ମଶାନ ଘାଟକୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.