କାକଟପୁର (କେନ୍ୟୁଜ) : ରାତି ପାହିଲେ ଭୋଟ୍ । ସହର ଠୁ ନେଇ ଗାଁ ଯାଏଁ ଭୋଟ୍ ପାଇଁ ଚଳଚଞ୍ଚଳ । ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ମାତ୍ର କେଇ ଘଣ୍ଟା ପରେ evmରେ ପଡିବ ଭୋଟ । ସେଥିପାଇଁ ଏବେ ଲୋକଙ୍କୁ ଲୋଭ ଦେଖାଇବା ପାଇଁ ଅନେକ ଚେଷ୍ଟା ଚଳାଉଛନ୍ତି ରାଜନେତାମାନେ । ପ୍ରଚାର ବନ୍ଦ ରହିଥିଲେ ସୁଦ୍ଧା ଲୁଚା ଛପାରେ ଏବେ ବି ଚାଲିଛି ଟଙ୍କା ବଣ୍ଟା ଆଉ ମଦ ବଣ୍ଟା ।
ଏମିତି କରି ରାତାରାତି ବି ସ୍ଥିତି ପରିବର୍ତ୍ତନ କରିଦିଅନ୍ତି ରାଜନେତା । ତେବେ ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଗୋଟେ ଗାଁର ଲୋକେ । କାହା ଠାରୁ ଟଙ୍କା ଖାଇବେନି କି ଟଙ୍କା ଗାଁକୁ ପୂରାଇ ଦେବେନି । ସେଥିପାଇଁ ପାଳି କରି ଜଗି ବସିଛନ୍ତି ଗାଁ ମୁଣ୍ଡରେ ।
ଭୋଟ ଆମ ଅଧିକାର, ମତଦାନ କରି ଉଚିତ ପ୍ରାର୍ଥୀ ବାଛିବା ରହିଛି ଆମର ଅଧିକାର । ଏଠି କାହାର ଟଙ୍କା ଖାଇ ମଦ ପିଇ ତାକୁ ଭୋଟ୍ ଦେବୁ ଏହା ଆଦୌ ହୋଇପାରିବନି । ହଁ ଆଜ୍ଞା ଏମିତି ବି ଲୋକ ଅଛନ୍ତି ଆମ ସମାଜରେ । ଯେଉଁମାନେ ଚାହୁଁଛନ୍ତି ନିରପେକ୍ଷ ଭୋଟ ଏବଂ ସ୍ୱଚ୍ଛ ଭୋଟ୍ ।
କାକଟପୁର ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ ଏକ ତାରିଖ ରେ ଆଠ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା,ଏଥିପାଇଁ ପ୍ରତେକ ଗାଁରେ ଆରମ୍ଭ ହୋଇଛି ଛକା ପଞ୍ଝା । ଲୋକମାନେ ନିଜ ଗାଁରେ ସ୍ବଚ୍ଛ ଏବଂ ନିରପେକ୍ଷ ଭୋଟ ପାଇଁ ନିଜ ଗାଁକୁ ରାତିରେ ଜଗି ରହିଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ବ୍ଲକର ମାଣ୍ଡୁକି ଗାଁରେ ଲୋକମାନେ ନିଜ ଗାଁକୁ ପ୍ରଲୋଭିତ କରିବାକୁ ଆସୁଥିବା ନେତା ମାନଙ୍କ ଠାରୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛନ୍ତି । କିଭଳି ଗ୍ରାମବାସୀମାନେ ନିଜ ଗାଁକୁ ସୁରକ୍ଷା ଦେଉଛନ୍ତି । ସତରେ ବର୍ତ୍ତମାନ ସମାଜରେ ଏମିତି ଗାଁ ବି ରହିଛି ବିଶ୍ୱାସ ହେଉନି । କାହିଁକିନା ଲୋକଙ୍କୁ ପଇସା ବାଣ୍ଟି ଭୋଟ କିଣିବାର ଅନେକ ନଜିର ରହିଛି ।