ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଅଡିଓ ପରେ ଲୋକସେବା ଭବନ ରାସ୍ତା ସିଲ, ହାଇଆଲର୍ଟରେ କମିଶନରେଟ ପୋଲିସ
ଭୁବନେଶ୍ୱର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଅଡିଓ ପରେ ଲୋକସେବା ଭବନ ରାସ୍ତା ସିଲ । ଲୋକସେବା ଭବନକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି । ଧମକପୂର୍ଣ୍ଣ ଅଡିଓ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏସପିଜି ଅଧିକାରୀ ଲୋକସେବା ଭବନ ସେଣ୍ଟର ବାହାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଉପସ୍ଥିତ ପୋଲିସଙ୍କ ସହ ଆଲୋଚନା କରିଛନ୍ତି । ରୁଫ ଟପ୍ ସୁରକ୍ଷାକର୍ମୀକୁ ଆଲର୍ଟ କରାଯାଇଛି। ସ୍ନାଇପର ସ୍କ୍ବାଡ ସଜାଗ ରହିଛନ୍ତି । ହାଇଆଲର୍ଟରେ ରହିଛି କମିଶନରେଟ ପୋଲିସ ।
ଏନେଇ ପୋଲିସ କମିଶନର ଏସ.ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟାରେ କହିଛନ୍ତି,ଏଭଳି ଧମକପୂର୍ଣ୍ଣ ଅଡିଓ ଭିଡିଓ ପାଇଁ ସ୍ଵତନ୍ତ୍ର ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି । ସତ ହେଉ କି ମିଛ ହେଉ,ସବୁ ଅଡିଓ, ଭିଡ଼ିଓ ଓ ଧମକ ପୂର୍ଣ୍ଣ କଲ କିମ୍ବା ମେସେଜର ଯାଞ୍ଚ କରାଯାଉଛି । ଏଥିପାଇଁ କାମ କରୁଛି ସ୍ଵତନ୍ତ୍ର ଟିମ୍। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡ଼ା କଡ଼ି ଅଛି। ଧମକ ପୂର୍ଣ୍ଣ ଅଡିଓ ଭିଡ଼ିଓ ନେଇ ଆମେ ଅଭିଯୋଗ ପାଇଛୁ । ସବୁ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିିବା କହିଛନ୍ତି ପୋଲିସ କମିଶନର । ଯେ କୌଣସି ଥ୍ରେଟର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି । ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସନ୍ଧାନୀ କୁକୁର ଓ ସିଆଇଏସଏଫ ଯବାନ ତୀକ୍ଷଣ ନଜର ରଖିଛନ୍ତି ।