ଶତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଓ ଅଞ୍ଚଳବାସୀ, ସାଉଁଣ୍ଟୁଛନ୍ତି ପ୍ରଶଂସା

ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ବୃଦ୍ଧବୃଦ୍ଧା ଅଲୋଡ଼ା ହୋଇ ଯାଉଛନ୍ତି । କିଛି ବୃଦ୍ଧବୃଦ୍ଧାଙ୍କ ଠିକଣା ହୋଇ ଯାଉଛି ବୃଦ୍ଧାଶ୍ରମ । ବୃଦ୍ଧବୃଦ୍ଧା ଯେମିତି ଆଜିର ସମାଜରେ ବୋଝ । ଅନେକ ସମୟରେ ବୃଦ୍ଧବୃଦ୍ଧାମାନେ ନିର୍ଯାତନାର ଶିକାର ହେଉଥିବା ବି ଆପଣମାନେ ଶୁଣିଥିବେ । କିନ୍ତୁ ଆଜି ବି କିଛି ପରିବାର ଏମିତି ଅଛନ୍ତି । ଯେଉଁମାନେ ଘରର ବୟସ୍କ ବ୍ୟକ୍ତିଙ୍କୁ ଘରର ମୁରବୀ ଭଳି ରଖୁଛନ୍ତି । ଆଉ ବୃଦ୍ଧବୃଦ୍ଧାଙ୍କ ସେବାରେ ନିଜକୁ ସମର୍ପି ଦେଉଛନ୍ତି । ଏଭଳି ଏକ ପରିବାରର ସଦସ୍ୟ ଅଛନ୍ତି, ଯେଉଁମାନେ ବୃଦ୍ଧବୃଦ୍ଧାଙ୍କୁ ସମ୍ମାନରେ ରଖିବା ସହ ତାଙ୍କ ଜନ୍ମ ଶତ ବାର୍ଷିକୀ ପାଳନ କରି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଗାଁରେ ଧୁମଧାମରେ ପାଳନ କରାଯାଇଛି ଲୋକନାଥ ପଣ୍ଡାଙ୍କ ଜନ୍ମ ଶତବାର୍ଷିକୀ । ଏହି ଉତ୍ସବରେ ଯୋଗ ଦେଇଛନ୍ତି ପରିବାର, ବନ୍ଧୁବର୍ଗ ଓ ଅଞ୍ଚଳବାସୀ । ଅଞ୍ଚଳରେ ଖୁସିର ମାହୋଲ ଦେଖା ଦେଇଥିବା ବେଳେ ଶତାୟୁ ବୃଦ୍ଧଙ୍କ ଠାରୁ ଆଶିଷ ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ଜନ୍ମଦିନ ଉପଲକ୍ଷେ ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବୃଦ୍ଧଙ୍କ ଜନ୍ମଦିନରେ ପୂଜାପାଠ ସହିତ କେକ୍ ମଧ୍ୟ କଟାଯାଇଛି । ଭୋଜିଭାତ ବି ହେଉଛି । ପୁଅ-ବୋହୁ, ନାତି-ନାତୁଣୀ-ଅଣନାତି, ପଣନାତି ସମସ୍ତେ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି ବୃଦ୍ଧଙ୍କ ଜନ୍ମଦିନ ପାଳନ କରିବା ପାଇଁ ।
ଜନ୍ମଦିନ ପାଳନ ସହିତ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଶତାୟୁ ବୃଦ୍ଧଙ୍କ ଜୀବନୀ ବିଷୟରେ ଆଲୋଚନା କରୁଥିଲେ । ବର୍ତ୍ତମାନ ସମୟରେ ବି ଶତାୟୁ ବୃଦ୍ଧଙ୍କୁ ଘରର ମୁରବୀ କରି ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଥିବାରୁ ପରିବାରଙ୍କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ଲୋକନାଥ ପଣ୍ଡା ୧୯୨୫ ମାର୍ଚ୍ଚ ୨୩ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ପ୍ରତିବର୍ଷ ରାମନବମୀ ପାଇଁ ମିସି ଗାଁରେ ହେଉଥବା ରାମଲୀଳାରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରନ୍ତି । ଅଞ୍ଚକବାସୀଙ୍କ ପ୍ରିୟଭାଜନ ହେବା ସହିତ ଜଣେ ଭଦ୍ର ମେଳାପୀ ଲୋକ ଭାବରେ ଅଞ୍ଚଳରେ ବେସ ଜଣାଶୁଣା ।
ଆଧୁନିକ ଯୁଗରେ ସମସ୍ତେ ସହର ମୁହାଁ ହେବା ସହିତ ଛୋଟ ପରିବାର ନେଇ ଚଳିବା ପାଇଁ ପସନ୍ଦ କରୁଥିବା ବେଳେ କେତେକ କ୍ଷେତ୍ରରେ ବୃଦ୍ଧବୃଦ୍ଧାଙ୍କ ଠିକଣା ପାଲଟି ଯାଉଛି ବୃଦ୍ଧାଶ୍ରମ । ହେଲେ ବର୍ତ୍ତମାନ ପରିସ୍ଥିତିରେ ବି ବୃଦ୍ଧଙ୍କ ଜନ୍ମ ଶତବାର୍ଷିକୀ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହିତ ଅଞ୍ଚରେ ଧନ୍ୟବାଦର ପାତ୍ର ହୋଇ ପାରିଛନ୍ତି ଏହି ପରିବାର ।
Also Read: କମ୍ରେଡ ବନମାଳୀ ଜେନାଙ୍କ ଜନ୍ମ ଶତବାଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର…