ଆଜବେଷ୍ଟସ ଭାଙ୍ଗି ଦୋକାନର ଭିତରେ ପଶିଲେ ଲୁଟେରା, ଲୁଟି ନେଲେ ୧୦ କେଜି ଚାନ୍ଦି ଅଳଙ୍କାର
ରାଉରକେଲା : ରାତିରେ ଆଜବେଷ୍ଟସ ଭାଙ୍ଗି ଦୋକାନର ଭିତରେ ପଶିଲେ ଲୁଟେରା । ବୁଲାଇ ଦେଲେ କଳାକନା । ଲୁଟି ନେଲେ ୧୦ କେଜିରୁ ଅଧିକ ଚାନ୍ଦି ଅଳଙ୍କାର । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ ହେବ । ଏପରି ଏକ ଘଟଣା ରାଜଗାଙ୍ଗପୁର ସହରରେ ଥିବା ଏକ ସୁନା ଦୋକାନରେ ଘଟିଛି । ରାଜଗାଙ୍ଗପୁର ସହରରେ ଥିବା ଭୋଲାରାମ ଜୁଏଲର୍ସରେ ଏପରି ଲୁଟ୍ ହୋଇଛି ।
ସୂଚନା ଅନୁସାରେ ଦୋକାନ ମାଲିକ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ପରେ ଲୁଟେରା ମାନେ ବିଳମ୍ବିତ ରାତିରେ ଦୋକାନର ଆଜବେଷ୍ଟସ ଭାଙ୍ଗି ୭ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଲୁଟି ନେଇଥିବା ବେଳେ ସୁନା ଅଳଙ୍କାର ଥିବା ସେଲ୍ଫ ଭାଙ୍ଗିବାକୁ ଉଦ୍ୟମରେ ବିଫଳ ହୋଇଥିଲା । ଫଳରେ ସୋ କେସରେ ଥିବା ନକଲି ସୁନା ଗହଣା ନେଇ ଯାଇଥିଲେ । ଆଜି ସକାଳେ ଲୁଟର ଖବର ପାଇ ଦୋକାନ ମାଲିକ ପହଞ୍ଚିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାମାନଙ୍କ ପତ୍ତା ମିଳି ପାରି ନାହିଁ ।