ବନ୍ଧୁକ, ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

କେନ୍ୟୁଜ(ବ୍ୟୁରୋ): ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଚଣାହାଟ ଛକ ବାଗଦେବୀ ବିଦ୍ୟାମନ୍ଦିର ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି ଭୁବନେଶ୍ୱର ରବି ଟକିଜ୍‌ ସ୍ଥିତ ଉଜିବନି ଫାଇନାନ୍ସ କର୍ମଚାରୀ ଅମିତ କୁମାର ମିଶ୍ର ।

ଆଜି ଅପରାହ୍ନରେ ଅମିତ ପମ୍ପାଲୋ ପଞ୍ଚାୟତ କୂଳନ୍ତିରା ୨ଟି ଏବଂ ଚଣାହାଟର ଗୋଟିଏ ମହିଳା ମଣ୍ଡଳ ସଂସ୍ଥାରୁ ୧ ଲକ୍ଷ ୧୨ ହଜାର ୮୯୦ଟଙ୍କା ଆଦାୟ କରି ବାଲିପାଟଣା ଅଭିମୁଖେ ଫେରୁଥିଲେ । ବାଗଦେବୀ ବିଦ୍ୟାଳୟ ନିକଟରେ ଦୁଇ ଜଣ ଯୁବକ ଏକ ପଲସର ଗାଡିରେ ଆସି ଅମିତଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଅଟକାଇଥିଲେ। ଭୁଜାଲିରେ ଅମିତଙ୍କ ଗାଡିକୁ ଆକ୍ରମଣ କରି ଭାଙ୍ଗି ଦେଇଥିଲେ। ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ଦୁର୍ବୃତ୍ତ ମାନେ ସିରିପୁର ରାସ୍ତାରେ ପଳାଇଥିଲେ। ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଁଞ୍ଚି ତଦନ୍ତ କରୁଛି।