ବିଳମ୍ବିତ ରାତିରେ ମନ୍ଦିରରେ ପଶି ଲୁଟିନେଲେ ଠାକୁରାଣୀଙ୍କ ଆଖି ଓ ସୁନା ମୁକୁଟ

ଗୋପ: କି କଳି ଯୁଗ ହେଲା..ଶେଷରେ ଠାକୁରାଣୀଙ୍କୁ ବି ଛାଡିଲେନି? ମନ୍ଦିରରେ ପଶି ବୁଲାଇଲେ କଳାକନା । ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ।  ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ୍ । ପୋଲିସ୍ ସାଜିଛି ନୀରବଦ୍ରଷ୍ଟା । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରୁଛନ୍ତି ଏହି ଦୁର୍ବୃତ୍ତମାନେ । କେତେବେଳେ ମନ୍ଦିରର ହୁଣ୍ଡି ଟେକି ନେଉଛନ୍ତି ତ । କେତେବେଳେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟୁଛନ୍ତି ।

ତେବେ ପୁଣି ଘଟିଛି ଏଭଳି ଏକ ଘଟଣା । ସବୁସୀମା ଟପିଛନ୍ତି ଚୋର । ଶେଷରେ ମା’ଙ୍କୁ ବି ଛାଡ଼ିଲେନି । ନାଁ ଭଗବାନଙ୍କ ପ୍ରତି ରହିଛି ଭକ୍ତି ନାଁ ମନରେ ଅଛି ଭୟ । ପୁରୀ ଜିଲ୍ଲା ଗୋପ ଥାନା ଆନ୍ତର୍ଗତ ମା’ ଦଶମଲ୍ଲୀ ଠାକୁରାଣୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମା’ଙ୍କ ଆଖି ତାଡ଼ି ନେଇଥିବାବେଳେ ସୁନା ମୁକୁଟ ବି ନେଇଯାଛନ୍ତି । କେଡେ ସାହାସ ଏମାନଙ୍କର ।

ସୂଚନା ଅନୁଯାୟୀ, ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ପ୍ରତକ୍ଷ ଗ୍ରାମ ଦେବୀ ମା’ ଦଶମଲ୍ଲୀ ଠାକୁରାଣୀ । ମା’ଙ୍କ ପୂଜା ଅର୍ଚ୍ଚନା ପାଇଁ ପ୍ରତିଦିନ ପରି ପୂଜକ ପୂଜା କରିବାକୁ ଆସିବାବେଳକୁ ଦେଖିବାକୁ ପାଇଥିଲେ କି  ମନ୍ଦିର ଖୋଲା ରହିଛି । ଏହାପରେ ମା’ଙ୍କ ଆଖି ଏବଂ ମୁକୁଟ ନଥିବା ସେ ଜାଣିବାକୁ ପାଇଥିଲେ । ଏସବୁ ଦେଖି ପୂଜକ ଜଣକ ଚକିତ ହୋଇଯାଇଥିଲେ । ଏନେଇ ତୁରନ୍ତି ଗ୍ରାମବାସୀଙ୍କୁ ଜଣାଇଥିଲେ । ତେବେ ଦେଖନ୍ତୁ ପୂଜକ ଜଣକ କେମିତି ଭାବବିହ୍ଵଳ ହୋଇପଡୁଛନ୍ତି । ଯେଉଁ ଠାକୁରାଣୀଙ୍କୁ ସେ ଅଳଙ୍କାରରେ ସୁସଜ୍ଜିତ କରି ସବୁଦିନ ପୂଜା କରୁଥିଲେ, ଆଜି ସେହି ମା’ଙ୍କ ଦେହରୁ ଅଳଙ୍କାର କାଢିନେଇଛି ପାପୀ ମଣିଷ ।

ତେବେ ଯାହା ଅନୁମାନ କରାଯାଉଛି ମନ୍ଦିରରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପଶି ମା’ଙ୍କ ଆଖି, ମଥାର ଟୀକା ଏବଂ ମୁକୁଟ ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏପଟେ ଘଟଣା ସମ୍ପର୍କରେ ଗୋପ ପୋଲିସ୍ ଖବର ପାଇବା ପରେ ଘରଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରି ଅଭାବନୀୟ ଘଟଣା ଏହି ଅଣ୍ଢରା ଇଚ୍ଛାପୁର ପଞ୍ଚାୟତରେ ପ୍ରଥମ ବୋଲି ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ତେବେ ତୁରନ୍ତ ଚୋର ମାନଙ୍କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।