ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ତ ବିଶ୍ୱାଳପଡା ଗାଁରେ । ଘର ମାଲିକ ନଥିବା ବେଳେ କବାଟ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ଟଙ୍କା ଲୁଟ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଘର ମାଲିକ ଦେବାଶିଷ ପାତ୍ର ବାଙ୍ଗାଲୋରରେ କାର୍ଯ୍ୟ କରନ୍ତି । ତେବେ ତାଙ୍କ ଗାଁ ଘରର ରକ୍ଷଣାବେକ୍ଷଣ କରନ୍ତି ଦେବାଶିଷଙ୍କ ମାଉସୀ ଶକୁନ୍ତଳା ବେଉରା । ଶକୁନ୍ତଳାଙ୍କ ଶାଶୁ ଦେହ ଅସୁସ୍ଥ ଥିବାରୁ ଚାରିଦିନ ହେବ ସେ ବିଶ୍ୱାଳପଡ଼ା ଘରକୁ ଆସି ନଥିଲେ ।
ଆଉ ଘର ପୁରା ଖାଲି ଥିଲା । ଆଉ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ । ଚାରିଦିନ ପରେ ସକାଳୁ ଆସି ଦେଖନ୍ତି ଘର ପାଖରେ ଗୋଟେ ଶାବଳ ପଡିଛି । ଘରର ମୁଖ୍ୟ ଦ୍ୱାରର ଗ୍ରୀଲି ତାଲା ଭଙ୍ଗା ଯାଇଛି । ଏହା ସେ ବିଚଳିତ ଦେଖି ପଡ଼ୋଶୀଙ୍କୁ ଡାକିଥିଲେ । ପଡ଼ୋଶୀଙ୍କ ସହ ଘର ଭିତରକୁ ଯାଇ ଦେଖନ୍ତି ଝରକା ଗ୍ରୀଲ ଏବଂ ଆଲମୀରା ସବୁ ତଡାଯାଇଛି । ଆଲମୀରାରେ ଥିବା ଆସବାବପତ୍ର ସବୁ ତଳେ ପଡିଛି । ଏମିତିକି ସିସିଟିଭିର ହାଡ଼ ଡିସ୍କି ମଧ୍ୟ ନେଇଯାଇଛନ୍ତି ଏହି ଲୁଟେରା ।
ତେବେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏନେଇ ଶକୁନ୍ତଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହ ତଦନ୍ତ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କ ସୁରାକ ପାଇନାହିଁ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ଏହି ଲୁଟେରାଙ୍କ ଶୀକାର ହେଉଥିବା ନଜର ଆସୁଛି ।
ପୋଲିସ୍ ଯେତେ ଚାଲାକ୍ ଭାବେ କାମ କଲେ ମଧ୍ୟ ସବୁବେଳେ ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି ଚୋର । ଆଜିକାଲିର ଏଭଳି ପରିସ୍ଥିତି ଯୋଗୁଁ ଲୋକେ ଘର ତାଲା ପକାଇ କୁଆଡେ ଯିବାକୁ ଭୟ କଲେଣି । ତେବେ ବର୍ତ୍ତମାନ ପୁଣି ଏଭଳି ଲୁଟ ଖବର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।