ରେଲୱେ ଜେଇଙ୍କ ହାତଗୋଡ ବାନ୍ଧି ସଶସ୍ତ୍ର ଡକାୟତି, ଲୁଟି ନେଲେ ୩୫ଭରିରୁ ଅଧିକ ସୁନା

ରାଉରକେଲା : ବନ୍ଧମୁଣ୍ଡା ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ବନ୍ଧମୁଣ୍ଡା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଆଜି ଭୋରରୁ ହୋଇଛି ଡକାୟତି ।
ସୂଚନା ଅନୁସାରେ ଆଜି ସକାଳେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଦିଲୀପଙ୍କ ଘରେ ପଶିଥିଲେ । ଘରେ ଥିବା ଟଙ୍କା ପଇସା ଦେବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ଦିଲୀପଙ୍କ ହାତଗୋଡ଼ ବାନ୍ଧି ଦେଇ ଗୋଟିଏ ରୁମ୍ରେ ପୂରାଇ ଦେଇଥିଲେ । ପରେ ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟବୀତ କରିଥିଲେ । ଏହାପରେ ଘର ଆଲମାରିର ଲକ୍ ଭାଙ୍ଗି ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ । ୩୫ଭରିରୁ ଅଧିକ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଏନେଇ ଦିଲୀପ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ବନ୍ଧମୁଣ୍ଡା ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।