ବ୍ରହ୍ମପୁର : ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା ଅଳଙ୍କାର

ବ୍ରହ୍ମପୁର(କେନ୍ୟୁଜ୍): ଦିନକୁ ଦିନ ଲୁଟ୍ କରିବାର ତରିକା ବଦଳାଉଛନ୍ତି ଲୁଟେରା । କେତେବେଳେ ପୋଲିସର ପରିଚୟ ତ ଆଉ କେତେବେଳେ ସାହାଯ୍ୟ କରିବାର ଆଳ ଦେଖାଇ ଲୁଟି ନେଉଛନ୍ତି । ଆଉ ସାଧାରଣ ଲୋକଟିଏ ଲୁଟେରା ମାନଙ୍କ କଥାକୁ ବିଶ୍ୱାସ କରି ଲୁଟର ଶିକାର ହେଉଛନ୍ତି । ଏଭଳି ଘଟଣା ବ୍ରହ୍ମପୁର ସହରର ବାରମ୍ୱାର ଦେଖିବାକୁ ମିଳୁଛି । କିଛି ଦିନ ତଳେ ସିବିଆଇ ଅଫିସରର ପରିଚୟ ଦେଇ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ । ଆଜି ପୁଣି ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ଖାପସା ସାହି ଛକରେ ଏଭଳି ଏକ ଘଟଣା ଘଟିଛି ।
ପାର୍ବତୀ ବେହେରା ନାମକ ବୃଦ୍ଧା ଜଣଙ୍କ ମନ୍ଦିରରୁ ଫେରିବା ବେଳେ ଜଣେ ଯୁବକ ତାଙ୍କୁ ପୋଲିସର ପରିଚୟ ଦେଇ ଡାକିଥିଲେ ।ଏହାପରେ କହିଥିଲେ, ଆଗରେ ପୋଲିସ ଅଛନ୍ତି, ଫାଇନ ପଡିବ । ସୁନା ଅଳଙ୍କରା ସବୁ କାଢି ଦିଅନ୍ତୁ ନଚେତ ହଇରାଣରେ ପଡିପାରନ୍ତି ଓ ସୁନା ଅଳଙ୍କରା ଲୁଟ୍ ହୋଇପାରେ ବୋଲି କହିଥିଲେ । ଲୁଟେରାଙ୍କ କଥାକୁ ବିଶ୍ୱାସ କରି ବୃଦ୍ଧା ଜଣକ ଖୋଲି ଦେଇଥିଲେ ପିନ୍ଧିଥିବା ଅଳଙ୍କାର । ଆଉ ଏହି ଅଳଙ୍କାର ଗୁଡିକୁ କାଗଜରେ ଗୁଡାଇ ରଖି ଦିଅନ୍ତୁ ବୋଲି କହିଥିଲ । ୟାରି ଭିତରେ ସୁନା ଅଳଙ୍କାର ଗୁଡ଼ିକୁ ରଖିନେଇ ଅନ୍ୟ ଏକ କାଗଜରେ ଥିବା ପ୍ଲାଷ୍ଟିକ୍ ଚୁଡ଼ି ଧରାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଆଉ ଏହି ସବୁ ଘଟଣା ହୋଇଥିଲା ସ୍ପଷ୍ଟ ଦିବାଲୋକ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ । ପରେ ବୃଦ୍ଧା ଜଣକ ଘରକୁ ଯାଇ ନିଜ ସୁନା ଅଳଙ୍କାର ନଥିବା ଜାଣିବାକୁ ପାଇଥିଲେ ଓ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି ।
ଲୁଟ ହୋଇଥିବା ଖବର ବଡ଼ ବଜାର ଥାନା ପୋଲିସ ପାଇବା ପରେ ଘଟଣାସ୍ଥଳରେ ଟାଉନ ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ତିନି ଜଣ ସଂପୃକ୍ତି ଥିବା ଜଣାପଡିଛି । ଲୁଟ ହୋଇଥିବା ଅଞ୍ଚଳର ସମସ୍ତ ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି ।