ଟଙ୍କା ଓ ସୁନା ଲୋଭରେ ହିତାହିତ ଜ୍ଞାନ ହରାଇ ବସୁଛନ୍ତି ଲୁଟେରା, ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି

ଅନ୍ଧାର ରାତିରେ ସବୁ ଶୋଇଗଲା ପରେ ଚୋରି କରିବା ଉଦ୍ଦେଶ୍ୟ ନେଇ ଦୋକାନ ଭିତରେ ପଶିଥିଲେ ଚୋର । କିନ୍ତୁ ପୋଲିସ ଠିକ ସମୟରେ ପହଞ୍ଚି ଯିବାରୁ ସବୁ ଫେରାର ମାରିଥିବା ବେଳେ ୩ ଜଣକୁ ଧରିଛି ପୋଲିସ । ବାଇଆ କରୁଛି ଟଙ୍କା ଓ ସୁନା । ଟଙ୍କା ଓ ସୁନା ଲୋଭରେ ହିତାହିତ ଜ୍ଞାନ ହରାଇ ବସୁଛନ୍ତି ଲୁଟେରା । ପୂର୍ବରୁ କେବଳ ଲୋକଙ୍କ ଠାରୁ ଲୁଟ୍ କରି ଫେରାର ମାରୁଥିଲେ । କିନ୍ତୁ ଏବେ ଟଙ୍କା ଓ ଅଳଙ୍କାର ପାଇଁ ମଣିଷକୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି । ବେଳେବେଳେ ଏଭଳି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ମଣିଷ ଜୀବନ ଯାଉଥିବା ଖବର ଉପରେ ମଧ୍ୟ ନଜିର ରହିଛି ।

ଜଣଙ୍କ ଘରେ ହୋଇଛି ବଡ଼ ଧରଣର ଚୋରି । ଟଙ୍କା ପାଇଁ ଘର ସଦସ୍ୟଙ୍କୁ ଆକ୍ରମଣ କଲେ ଦୁବୃର୍ତ୍ତ । ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ଟଙ୍କା ଦୁବୃର୍ତ୍ତମାନେ ଲୁଟିନେଇଛନ୍ତି  । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଞ୍ଚାୟତ ବଣଗଡିଆ ଗାଁର ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରେ ୬ରୁ ଉର୍ଦ୍ଧ୍ବ ଦୁବୃର୍ତ୍ତ ପଶିଥିଲେ ।  ବାଇକରେ ଆସି ଘର ପଛ ପଟ ଛାତ ଉପରେ ଚଢି ଘରେ ଭିତରକୁ ପଶିଥିଲେ । ଘରେ ପରିବାର ଲୋକ ଶୋଇଥିବା ବେଳେ ଦୁବୃର୍ତ୍ତମାନେ ପ୍ରଥମେ ମୋବାଇଲ ଗୁଡିକ ଆଣି ଭାଙ୍ଗି ଦେଇଥିଲେ । ପରେ ପୁଅ ରତିକାନ୍ତଙ୍କ ହାତକୁ ଆକ୍ରମଣ କରି ଗଡ୍ରେଜ ଭାଙ୍ଗି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସମେତ ସୁନା ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ । ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ ପ୍ରଥମେ ସିମୁଳିଆ ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

ସେହିପରି ମାର୍କୋଣା ବଜାରରେ ଥିବା ଏକ ମୋବାଇଲ ଦୋକାନରେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ପାଖ ଦୋକାନୀ ମୋବାଇଲ୍ ଦୋକାନର ମାଲିକଙ୍କୁ  ଖବର ଦେଇଥିଲେ । ତେବେ ମୋବାଇଲ୍ ଦୋକାନ ମାଲିକ ସମିର ସିମୁଳିଆ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଁଚିବାରୁ ୫ ଜଣ ଯୁବକ ଦୌଡି ପଳାଇଥିଲେ । କିନ୍ତୁ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲେ ୩ ଜଣ । ସିମୁଳିଆ ପୋଲିସ ହାତରୁ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ । ମୋବାଇଲ ଦୋକାନ ଲୁଟ ଉଦ୍ୟମର ସମସ୍ତ ଭିଡିଓ ସିସିଟିଭିରେ କଏଦ ହୋଇଛି ।

ବାଲେଶ୍ବର ଜିଲ୍ଲାରେ ଏଭଳି ଲୁଟ୍ ଘଟଣା ବଢ଼ିବାରେ ଲାଗିଛି । ଲୁଟ୍ ଓ ଆକ୍ରମଣ ଘଟଣାରେ ଅତିଷ୍ଠ ହେଲେଣି ଲୋକେ । ଏଭଳି ଅପରାଧକୁ ରୋକିବା ପାଇଁ ପୋଲିସ ତତ୍ପର ହୋଇଛି ସତ । କିନ୍ତୁ ଦୁବୃର୍ତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏଭଳି ଅପରାଧ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

Also Read: ତାଲା ଭାଙ୍ଗି କଳକନା ବୁଲାଇଲେ ଦୁବୃର୍ତ୍ତ, ୫୦ ଲକ୍ଷର ସୁନାଗହଣା ଲୁଟ୍