ରାତି ଅଧରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ତଦନ୍ତ କରୁଛି ପୋଲିସ

ବାସୁଦେବପୁର(କେନ୍ୟୁଜ): ମା’ ଝିଅ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ କେହି ଜଣେ କବାଟ ଠକ୍ ଠକ୍ କଲା । ଘରେ କେହି ପୁରୁଷ ନଥିବାବେଳେ ମହିଳା ଜଣଙ୍କ ବାଧ୍ୟ ହୋଇ କବାଟ ଖୋଲିଥିଲେ । କିନ୍ତୁ ସେ କେବେ ଭାବି ନଥିଲେ କବାଟ ଖୋଲିବା ପରେ ତାଙ୍କ ଜୀବନ ଯିବ । କବାଟ ଖୋଲିବା ପରେ ଜଣେ ଦୁର୍ବୁତ୍ତ ମହିଳାଙ୍କ ଘରେ ପଶିଯାଇଥିଲା ଆଉ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ କରିଥିଲା ଆକ୍ରମଣ । ମହିଳା ଜଣଙ୍କ ଅସହାୟ ହୋଇ ସାହାଯ୍ୟ ପାଇଁ ଘରୁ ଦୌଡ଼ି ଆସିଥିଲେ । ଆଉ ରାସ୍ତାରେ ପଡ଼ି ଯାଇଥିଲେ ମହିଳା । ଆଉ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ଝିଅ ମା’ର ଅବସ୍ଥା ଦେଖି କିଛି ବୁଝି ନପାରି ପାଖ ପଡ଼ୋଶୀଙ୍କୁ ଡାକିଥିଲା । ପାଖ ପଡ଼ୋଶୀ ବି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ସଙ୍ଗେ ସଙ୍ଗେ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ ପଡ଼ୋଶୀ । ଗୋଟାଏ ପରେ ଗୋଟାଏ ହସ୍ପିଟାଲକୁ ସ୍ଥାନାନ୍ତର ପରେ ବି ମହିଳାଙ୍କୁ ବଞ୍ଚାଇ ପାରି ନଥିଲେ ଡାକ୍ତର । ମହିଳାଙ୍କ ସହ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ତେବେ ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଶୁକଦେବପୁର ଗାଁରେ ଘଟିଯାଇଛି । ଦୁର୍ବୁତ୍ତ ଜଣକ ମହିଳାଙ୍କୁ ଖାଲି ଆକ୍ରମଣ କରିଛି ତାହା ନୁହେଁ ସୁନା ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛି । ମୃତ ମହିଳା ଜଣକ ସେହି ଗାଁର ରବୀନ୍ଦ୍ର ବେହେରାଙ୍କ ସ୍ତ୍ରୀ ସସ୍ମିତା ବେହେରା । ଦୀର୍ଘ ଦିନ ଧରି ରବୀନ୍ଦ୍ର ବାଙ୍ଗାଲୁରୁରେ ରହି କାମ କରୁଥିବାରୁ ସସ୍ମିତା ଓ ତାଙ୍କ ଝିଅ ସୁକଦେବପୁର ଠାରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ମା’ ଝିଅ ଘରେ ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇ ଆସଥିଲେ । ଦୁବୁର୍ତ୍ତ ଜଣକ ମହିଳାଙ୍କ ଘରେ ଥିବା ସୁନା ରୁପା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇ ଫେରାର ହେଇଯାଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର, ଭଦ୍ରକ ପରେ କଟକ ମେଡିକାଲରେ ପରିବାର ଲୋକେ ଭର୍ତ୍ତି କରାଇଥିଲେ । ଆଜି ମହିଳାଙ୍କ ମୃତ୍ୟୁ ଘଟିଛି । ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ମହିଳାଙ୍କ ସହ କିଏ ଏପରି କଲା ? ଯଦି ଚୋରି ଉଦ୍ଦେଶ୍ୟ ନେଇ ଦୁର୍ବୁତ୍ତ ଘରେ ପଶିଥିଲା ତେବେ ମହିଳାଙ୍କୁ କାହିଁକି ଆକ୍ରମଣ କଲା ? ଏପରି ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି । ଅନ୍ୟପଟେ ନ୍ୟାୟ ପାଇଁ ସସ୍ମିତାଙ୍କ ଝିଅ ଅପେକ୍ଷା କରି ବସିଛି ।