ବଢ଼ିଚାଲିଛି ଲୁଟେରାଙ୍କ ଉତ୍ପାତ, ସିସିଟିଭି କ୍ୟାମେରାରେ କଏଦ ହେଲା ଚିତ୍ର

ରାତି ଅନ୍ଧାରରେ ମାତିଛନ୍ତି ଚୋର । ଏ ଛକରୁ ସେ ଛକ ଖାଲି ଘୂରି ବୁଲୁଛନ୍ତି । ଗାଁ ସାହି ଲୋକ ଶୋଇଗଲା ପରେ ବଢ଼ିଚାଲିଛି ଚୋରଙ୍କ ରାଜୁତି । କେତେବେଳେ ରାସ୍ତାରେ ବୁଲି ବୁଲି ଲୋକଙ୍କ ଘର ଉପରେ ନଜର ପକାଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ପାଚେରୀ ଡେଇଁ ଘରେ ପଶୁଛନ୍ତି । ସିସିଟିଭିରେ ରେକର୍ଡ ହୋଇଛି ସବୁକିଛି ।
ଦିନ ବେଳୁ କେଉଁ ଘରେ ଚୋରି କରିବେ ଟାର୍ଗେଟ କରୁଛନ୍ତି । ଆଉ ରାତି ହେଲେ ମୁହଁରେ କପଡ଼ା ବାନ୍ଧି ଲୋକଙ୍କ ଘରେ କଳାକନା ବୁଲାଉଛନ୍ତି । ଯାଜପୁର ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ଉତ୍ପାତ । ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ଉତ୍ପାତ କରୁଛନ୍ତି ଲୁଟେରା । ଆଉ ଏହି ଲୁଟେରାଙ୍କ କାରନାମା କଏଦ ହୋଇଛି ସିସିଟିଭି କ୍ୟାମେରାରେ ।
ଯାଜପୁର ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ନିର୍ମଳ ମଳିକଙ୍କ ଘରୁ ଗତ ୧୨ ତାରିଖ ବିଳମ୍ବିତ ରାତିରେ ଘଟିଛି ଏଭଳି ଡକାୟତି । ପରିବାର ଲୋକେ ବାହାଘର ଭୋଜି ଖାଇବାକୁ ଯାଇଥିବା ବେଳେ ଏଭଳି ଲୁଟପାଟ କରିଛନ୍ତି ଲୁଟେରା। ଆଖପାଖ ଅଞ୍ଚଳର ୩ ଜଣଙ୍କ ଘରୁ ଚୋରି ଉଦ୍ୟମ କରାଯାଇଥିବା ବେଳେ କେବଳ ନିର୍ମଳ ମଳିକଙ୍କ ଘରୁ ଲୁଟିବାରେ ସକ୍ଷମ ହୋଇଛନ୍ତି ଲୁଟେରା । ଦୁବୃର୍ତ୍ତମାନେ ମୁହଁରେ ଗାମୁଛା ବାନ୍ଧି ନିର୍ମଳଙ୍କ ଘରେ ପଶି ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।
ଚୋର ମୁହଁରେ କପଡ଼ା ବାନ୍ଧିଥିବାରୁ ତାକୁ ଚିହ୍ନିପାରି ନାହାନ୍ତି ନିର୍ମଳଙ୍କ ପରିବାର ଲୋକେ । କିନ୍ତୁ ଏତେ ସୁନାଗହଣା ଲୁଟ୍ କରିଥିବା ଚୋରମାନଙ୍କୁ ଧରିବା ପାଇଁ ପରିବାର ପକ୍ଷରୁ ଦାବି ହୋଇଛି । ବିବାହ ଉତ୍ସବରେ ଯୋଗ ଦେବାର ଖୁସି ଯେ ତାଙ୍କୁ ଏତେ ବଡ଼ କ୍ଷତି ଦେବ ପରିବାର ଲୋକେ କେବେ ବି ଭାବି ନଥିଲେ । ତେବେ ନିର୍ମଳଙ୍କର ତ ଲକ୍ଷ ଲକ୍ଷ ଟଙ୍କା ବୁଡ଼ିଗଲା । କିନ୍ତୁ ଆପଣ ଯେମିତି ଏଭଳି ଭୁଲ ନକରନ୍ତି । ଘରେ ଟଙ୍କା ଓ ସୁନା ରଖୁଥିଲେ ସାବଧାନ ରୁହନ୍ତୁ । ଘର ଖାଲି କରି ଯାଆନ୍ତୁ ନାହିଁ । ନଚେତ ଏଭଳି ଘଟଣା ଆପଣଙ୍କ ସହ ବି ହୋଇପାରେ ।
Also Read: ଚୋର ଘର ସବୁବେଳେ ଅନ୍ଧାର ନୁହେଁ, ଏହାକୁ ସତ କରି ଦେଖାଇଛନ୍ତି ତୁମୁଡିବନ୍ଧ ପୋଲିସ