ରାଜଧାନୀରେ ଭିନ୍ନ ଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା: ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଚେନ
ସୁରକ୍ଷିତ ନୁହେଁ ରାଜଧାନୀ ଭୁବନେଶ୍ୱର। ସବୁଠି ଏବେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଜନ ଗହଳି ଜାଗାରୁ ଝାମ୍ପି ନେଉଛନ୍ତି ସୁନା ଚେନ୍।
ଭୁବନେଶ୍ୱର (କେନ୍ୟୁଜ): ସାବଧାନ ରାଜଧାନୀରେ ମାତିଛନ୍ତି ଲୁଟେରା। CCTVରେ କଏଦ ହେଲା ଲାଇଭ୍ ଲୁଟ୍। ଆଖି ପିଛୁଳାକେ ଝାମ୍ପିନେଲେ ସୁନା ଚେନ୍। କଳା ପଲସରରେ ଆସିଲେ, ଲୁଟି ଫେରାର ହୋଇଗଲେ। ଭୁବନେଶ୍ୱର ବାଣୀବିହାର ଛକରେ ମାତିଲେ ଚେନ୍ ଲୁଟେରା। ମହିଳା ଦୁଇ ଜଣ ରାସ୍ତା କଡ଼ରେ ଛିଡା ହୋଇଥିବାବେଳେ ଚେନ୍ ଝାମ୍ପି ଫେରାର ହୋଇଯାଇଛନ୍ତି ଲୁଟେରା। ସମାନ ଷ୍ଟାଇଲରେ ଦୁଇଟି ସ୍ଥାନରୁ ଲୁଟ୍ ହୋଇଛି। ସିସିଟିଭିରେ କଏଦ ହୋଇଛି ଲୁଟ୍ ଦୃଶ୍ୟ। ଏନେଇ ସହିଦନଗର ଥାନାରେ ଏତଲା ହୋଇଛି।
ସେହିପରି ଚନ୍ଦ୍ରଶେଖରପୁର ଶ୍ରୀବିହାର ଛକରେ ଦୁବୃର୍ତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଛନ୍ତି ସମାଜସେବୀ ଆଲୋକ ଦତ୍ତ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଲୁଟର ଶୀକାର ହୋଇଛନ୍ତି ଆଲୋକ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ୫ଟି ବାଇକ ଓ ଗୋଟିଏ କାରରେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଦୁର୍ବୁତ୍ତ ଆସି ଆଲୋକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆଲୋକ ଅଚେତ ହୋଇପଡିବା ପରେ ତାଙ୍କ ବେକରୁ ସୁନା ଚେନ ନେଇ ପଳାଇଥିଲେ ଲୁଟେରା । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।