ତିନି ଲୁଟେରାଙ୍କୁ କାବୁ କଲା କମିଶନରେଟ ପୋଲିସ୍: ରାଜଧାନୀରେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ଚେନ୍

ଭୁବନେଶ୍ୱର: ହେ ହେ ନେଇଗଲା ନେଇଗଲା ମୋ ସୁନା ଚେନ ନେଇଗଲା । ଏମିତି କହି ପାଟି କଲା ଭିତରେ ଏମାନେ ଆଖି ପିଛୁଳାକେ ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ଗାଡି ଧରି ଏମିତି ଉଭାନ ହୋଇଯାଆନ୍ତି ଯେ କେହିଟିକେ ଖୋଜ ଖବର ବି ପାଆନ୍ତି ନାହିଁ । ଆଉ କେତେବେଳେ ଏକୁଟିଆ ମହିଳା ଯାଉଥିବା ଦେଖିଲା ମାତ୍ରକେ ମାରଣାଅସ୍ତ୍ର ଧରି ସିଧା ପହଁଚିଯାଇ କୁହନ୍ତି ଯାହା ଅଛି ଭଲରେ ଭଲରେ ଦେଇ ଦିଅ । ଆଉ ଡରରେ ଯାହା ସବୁ ସୁନା ରୁପା ଲଗାଇଥାନ୍ତି ସବୁ ଓହ୍ଲାଇ ଦେଇ ଦେଇଦିଅନ୍ତି ମହିଳାମାନେ । ଏହିଭଳି ରାଜଧାନୀରେ ଅନେକ ସମୟରେ ଛିନତାଇ ଘଟଣା ଘଟି ଆସୁଥିବା ବେଳେ, କେହି କେହି ଥାନାରେ ଆସି ଅଭିଯୋଗ କରନ୍ତି ତ ଆଉ କେହି କେହି ଥାନାକୁ ଆସି ହଇରାଣ ହେବାକୁ ଚାହାଁନ୍ତିନାହିଁ ।
ତେବେ କମିଶନରେଟ ପୋଲିସ୍ ଦ୍ୱାରା ଧରାହୋଇ ଗତକାଲି କୋର୍ଟ ଚାଲାଣ ହୋଇଥିବା ଏହି ତିନି ଜଣ ଲୁଟେରାଙ୍କ କଥା ଟିକେ ଭିନ୍ନ । ଯାହାକୁ ଶୁଣିଲେ କାନରୁ ପବନ ବାହାରିବ । ଆମେ ତାଙ୍କୁ ମୋବାଇଲ ଲୁଟେରା ବୋଲି ଆକ୍ଷେପ କରିଥିଲୁ କିନ୍ତୁ ସେମାନେ କହୁଥିଲେ ଆମେ ସୁନା ଚେନ୍ ଲୁଟେରା । ତାପୁଣି ଗର୍ବରେ ଛାତି ବାଡେଇ କହୁଥିଲେ । ତିନି ଜଣ ଲୁଟେରାଙ୍କ ମଧ୍ୟରୁ ଜଣଙ୍କ ନାମ ଗଣେଷ ପୂର୍ତ୍ତି । ଘର ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାହାଜାନ ନଗରରେ । କିନ୍ତୁ ଗଣେଷ ପୂର୍ତ୍ତି ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଆଖଣ୍ଡଳମଣି ବସ୍ତିରେ ରହି ଆସୁଛି । ଅନ୍ୟ ଜଣେ ହେଉଛି ଶଙ୍କର ଦାସ । ତା ଘର ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡି ଗାଁରେ । ସେ କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ବାଣୀବିହାର ସ୍ଥିତ ଆଖଣ୍ଡଳମଣି ବସ୍ତିରେ ରହୁଛି । ଗଣେଶ ପୂର୍ତ୍ତିର ପେଶା ହେଉଛି ମହିଳା ମାନଙ୍କ ବେକରୁ ସୁନା ଚେନ୍ ଲୁଟ୍ କରି, ଓଡିଶା ବାହାରେ ନେଇ ବିକ୍ରି କରିବା । ଗଣେଶ ନାଁରେ ବିଭିନ୍ନ ଥାନାରେ ପାଖାପାଖି ୩୯ଟି ଅପରାଧିକ ମାମଲା ରହିଛି । ଅନେକ ଥର ଜେଲ ବି ଯାଇଛି । ତାହା ସହିତ ଥିବା ଶଙ୍କର ଦାସ ବି ସେହିଭଳି ଜଣେ ପେସାଦାର ଚେନ୍ ଲୁଟେରା ।
ଶଙ୍କର ନାମରେ ପାଖାପାଖି ୨୮ଟି ମାମଲା ବିଭିନ୍ନ ଥାନାରେ ରହିଛି । ଉଭୟ ଗଣେଶ ଓ ଶଙ୍କରର ଜେଲରୁ ବନ୍ଧୁତା ସ୍ଥାପନ ହୋଇଥିଲା । ତାପରେ ଶଳା ଭିଣୋଇର ସମ୍ପର୍କରେ ବାନ୍ଧି ହୋଇଥିଲେ । ଏମାନେ ସପ୍ତାହକୁ ଥରେ ଦୁଇ ଥର ଚେନ୍ ଲୁଟ କରି ଗୋଟିଏ ସ୍ଥାନ ଛାଡି ଅନ୍ୟ ସ୍ଥାନରେ ଯାଇ ରୁହନ୍ତି । ଏମାନେ ୨ଜଣ ମେ ମାସରେ ଚୌଦ୍ୱାର ଜେଲରୁ ବେଲରେ ଆସିଥିଲେ । ଜାନୁଆରୀ ମାସରେ ସିରିଜ ଲୁଟର ସମ୍ପୃକ୍ତିରେ ଭୁବନେଶ୍ୱର ଝାରପଡା ଜେଲ ଯାଇଥିଲେ ସାତ ବର୍ଷ ପାଇଁ । କିନ୍ତୁ ବେଲ୍ ରେ ଆସିଥିଲେ । ଯେତେବେଳେ ଏହି ଶଳା,ଭିଣୋଇ ୨ଜଣ ଭୁବନେଶ୍ୱର ଜେଲରେ ଥିଲେ ସେତିକି ବେଳେ ଏମାନଙ୍କ ଦେଖା ହେଇଥିଲା ଆଉ ଜଣେ ଲୁଟେରା ସହିତ । ସେହି ଲୁଟେରା ନାମ ହେଉଛି ଏସକେ ନିୟାମତ । ଘର ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ବସନ୍ତଚୁପ ଥାନା ଅନ୍ତର୍ଗତ ମଇନା ଗାଁ ରେ ।
କିନ୍ତୁ ନିୟାମତ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟି ୩ସ୍ଥିତ ମସଜିଦ କଲୋନୀରେ ରହେ । ପ୍ରଥମେ ଦୁଇ ଜଣ ଶଳା ଭିଣୋଇ ପରେ, ନିୟାମତ ଜେଲରୁ ଆସିଥିଲା ବେଲରେ ।ଏହାପରେ ତିନିଜଣ ଏକାଠି ହୋଇ ଲୁଟ ଛିନ୍ ତାଇ ଆରମ୍ଭ କଲେ । ଏସକେ ନାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଏବେ ଏମାନେ ଅନେକ ସମୟରେ ଛିନ୍ ତାଇ କରି ଆସୁଥିବା ବେଳେ ଶେଷରେ ଧରା ପଡିଛନ୍ତି । ଏମାନଙ୍କ ଠାରୁ ୪ଟି ସୁନା ଚେନ୍ ଆଉ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି । ବୋଲି ପୋଲିସ ପ୍ରକାଶ କରିଛି । ତେବେ ଏମାନଙ୍କୁ ପୋଲିସ ଧରି ପାରିନଥାନ୍ତା l କେବଳ ଜଣେ ବଡବଡିଆଙ୍କ ମହିଳାଙ୍କ ବେକରୁ ସୁନା ଚେନ ଲୁଟିବା ଏମାନଙ୍କ ପାଇଁ କାଳ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଏମାନଙ୍କୁ ଧରିଥିବା ଚର୍ଚ୍ଚା ହେଉଛି ।
ତେବେ ଗୋଟିଏ କଥା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଏମାନଙ୍କ ନାମରେ ଏତେ ଗୁଡିଏ ଅପରାଧୀକ ମାମଲା ଥିବାବେଳେ ଏମାନେ କେମିତି ମୁକୁଳି ପାରୁଛନ୍ତି ? ଆଉ ରାସ୍ତାରେ ଆସି ନିର୍ଭୟରେ ଲୁଟ୍ କରି ଫେରାର୍ ମାରୁଛନ୍ତି? କୋଉଠି ନା କୋଉଠି ଏମାନଙ୍କ ଉପରେ ପୋଲିସ୍ ପକ୍ଷରୁ କାର୍ଯ୍ୟ ଅନୁଷ୍ଠାନ ଦୃଢ଼ ହେଉନି ଅଥବା ଆଉ ସେମିତି କୋଉଠି କିଛି ରହୁଛି ଯେଉଁଥି ପାଇଁ ଏମାନେ ବାରମ୍ବାର ଲୁଟ୍ କରି ମଧ୍ୟ ମୁକୁଳି ଯାଉଛନ୍ତି । ଯଦି ଏମାନଙ୍କୁ ସେମିତି କିଛି କଠୋର ଦଣ୍ଡରେ ଦଣ୍ଡିତ କରାଯାଆନ୍ତା, ତେବେ ଏମାନେ ଆଉ କେବେବି ଲୁଟ୍ କରିବାକୁ ସାହସ କରନ୍ତେ ନାହିଁ ।