ଲୁଟ୍‌ କରିବାକୁ ଆସି ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟେରା ଫେରାର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ତିଗିରିଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଲୁଟ କରିବାକୁ ଆସିଥିବା ଡ଼କାୟତଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର କୌଶଲ୍ୟା ପତି । ବିଳମ୍ବିତ ରାତିରେ ଘରେ ପଶି ଲୁଟ କରିବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ କରିଥିଲେ କୌଶଲ୍ୟା । ଏହା ପରେ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ଦୁର୍ବୃତ୍ତ।

ସୂଚନା ଅନୁସାରେ ଗତକାଲି ବିଳମ୍ୱିତ ରାତିରେ ଲୁଟ୍ ପାଇଁ ଘରେ ପଶିଥିଲେ ୨ ଦୁର୍ବୃତ୍ତ । ହେଲେ ଲୁଟ୍ ବେଳେ ଉଠି ପଡିଥିଲେ କୌଶଲ୍ୟା ପତି । ଆଉ ଲୁଟ୍ ହେବା ଦେଖି ସେ ପାଟି କରିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଲୁଟେରା । ବୃଦ୍ଧାଙ୍କ ସହ ତାଙ୍କ ଝିଅ ମଧ୍ୟ ସେହି ଘରେ ଥିଲେ । ମା ଉପରେ ଆକ୍ରମଣ ଦେଖି ଝିଅ ଜୋରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ । ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ । ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ କରିସାରିଥିଲେ ଦୁର୍ବୃତ୍ତ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତକାଲି ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିଲେ ବୃଦ୍ଧା ଜଣଙ୍କ । ଆଉ ସେହି ଟଙ୍କା ଚୋରି ଉଦ୍ଦେଶ୍ୟରେ ବୃଦ୍ଧାଙ୍କ ଘରେ ଲୁଟେରା ପଶିଥିଲେ ବୋଲି ଅନୁମାନ କରାଯାଉଛି । ବାଲିଚନ୍ଦ୍ରପୁର ପୋଲିସ ଏହାର ତଦନ୍ତ ଚଳାଇଛି ।

 

ଆହୁରି ପଢ଼ନ୍ତୁ : ସ୍କୁଟି ଡିକିରୁ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ