ରାଗିଛ କି ପ୍ରଭୁ ? ଆଡପ ପହଣ୍ଡି ବେଳେ ପଡିଗଲେ ପ୍ରଭୁ ବଳଭଦ୍ର ଓ କେନ୍ଦ୍ରାପଡାରେ ତିନି ଦିନ ହେଲା ଗଡିପାରୁନି ତାଳଧ୍ୱଜ, ହେଲେ କାହିଁକି !

ସତରେ ରାଗିଛନ୍ତି କି ପ୍ରଭୁ ବଳଦେବ ? ପ୍ରଭୁ କାହିଁକି ଏତେ ରାଗ । ଏଥର ଏମିତି ସବୁ ଦୃଶ୍ୟ କାହିଁକି ପ୍ରଭୁ । କଣ ହେଲା ପ୍ରଭୁ । ଆପଣ କଣ ସତରେ ରାଗିଛନ୍ତି? ନା ଏସବୁ କରି ଆପଣ ଆଉ କିଛି ସଂକେତ ଦେଉଛ ପ୍ରଭୁ । ପୁରୀରେ ପୁରୀରେ ଆଡପ ପହଣ୍ଡି ବେଳେ ଏମିତି ପଡିଗଲ, ଯାହାକୁ ଦେଖି ଭକ୍ତଙ୍କ ଆଖିରେ ଲୁହ ରହୁନି । ପୁଣି କେନ୍ଦ୍ରାପଡାରେ ତିନି ଦିନ ହେଲା ଆପଣଙ୍କ ରଥ ଗଡିପାରୁନି । କାହିଁକି ପ୍ରଭୁ, କାହିଁକି ଏମିତି? ସତରେ କଣ ଆପଣ ରାଗିଛନ୍ତି ।

ହଁ ଆଜ୍ଞା ଅଘଟଣ ନେଇ ଏବେ ସବୁଠି ଚର୍ଚ୍ଚା । ଭକ୍ତଙ୍କ ମଧ୍ୟରେ ଭୟ ଓ ଆଶଙ୍କା । ଏହା କିଛି ଅଶୁଭ ସଙ୍କେତ ଦେଉଛି କି? କାହିଁକି ଏଭଳି ପଡ଼ି ଗଲେ ମହାପ୍ରଭୁ ବଳଭଦ୍ର ? ଅଘଟଣକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଭିନ୍ନଭିନ୍ନ ପ୍ରତିକ୍ରିୟା । ଭକ୍ତଙ୍କ ଭାବନାରେ ଆଘାତ ଲାଗିଛି । ଅନେକ ପୁରୁଖା ସେବାୟତ ଓ ସ୍ଥାନୀୟ ବାସିନ୍ଦା ଏଭଳି ଘଟଣା ପୂର୍ବରୁ କେବେ ଦେଖି ନଥିବା କହିଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟବାସୀ ଓ ଭକ୍ତ ସମାଜଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆପଣ ତ ଦେଖିସାରିଥିବେ, ମୋବାଇଲ ଟିଭି ଚାରିଆଡେ ଗୋଟିଏ ଦୃଶ୍ୟ, ବଳଭଦ୍ରଙ୍କର । ଗତକାଲି ସନ୍ଧ୍ୟା ୭ଟାରେ ଆଡପ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା । ଆଉ ଠିକ୍‌ ଏତିକି ସମୟରେ ହଠାତ୍ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ । ଏଥିରେ ଆହତ ହୋଇଥିବା ସେବାୟତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଆହତ ହୋଇଥିବା ସେବାୟତଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

କିନ୍ତୁ ରାଜ୍ୟକୁ ବିପଦ ଆସୁଥିବା ଆଶଙ୍କା କରୁଛନ୍ତି ଭକ୍ତ । ଏମିତି ଏକ ଦୃଶ୍ୟ ଦେଖି ସମସ୍ତେମର୍ମାହତ । ଦୁଃଖରେ ଭାଙ୍ଗି ପଡିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।ଆଡ଼ପ ପହଣ୍ଡି ବେଳେ ଅଘଟଣକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି । କାହିଁକି ଘଟିଲା ଦୁର୍ଘଟଣା… ସେବାୟତଙ୍କ ବେପରୁଆ ମନୋଭାବ ନା ଅସାବଧାନତା ? ତାଳଧ୍ୱଜ ରଥ ଚାରମାଳ ଠିକ୍ ଭାବେ ବନ୍ଧା ଯାଇଥିଲା କି ନାହିଁ ? ବଳଭଦ୍ରଙ୍କ ପାଟଡୋରି ଠିକ୍ ଭାବେ ସେବାୟତ ବାନ୍ଧିଥିଲେ କି ନାହିଁ ? ପାଟଡୋରି ସେବାୟତ ଠିକ୍‌ରେ ନଧରିବାରୁ ଘଟିଲା କି ଅଘଟଣ ? ବଳଭଦ୍ରଙ୍କ ଶ୍ରୀଅଙ୍ଗରେ ସେନାପଟା ଠିକ୍ ଭାବେ ଲାଗି ହୋଇଥିଲା ତ ? ଅଘଟଣ ପରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚିନି ତ ? ବଳଭଦ୍ରଙ୍କ ପାଟଡୋର ଢିଲା ଛାଡ଼ିବାରୁ ଘଟିଲା କି ଅଘଟଣ ? ଚାରମାଳରେ ଅଧିକ ସେବକ ରହିବାରୁ ପହଣ୍ଡିରେ ହେଲାକି ଅସୁବିଧା ? ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରୁଛି ।

ସେପଟେ କେନ୍ଦ୍ରାପଡ଼ା ଶ୍ରୀବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଗତକାଲି ଅଟକି ରହିଛି । ଶ୍ରୀଗୁଣ୍ଡିଚା ଦିନ ନୀତିରେ ବିଳମ୍ବ ପାଇଁ ରଥ ଟଣା ହୋଇ ପାରିଲା ନାହିଁ । ପୂର୍ବଦିନ ବାମକୁ ମାଡି ଯିବାରୁ ରଥ ତିନି ଘଣ୍ଟା ଅଟକି ରହିଥିଲା । ଗତକାଲି ସକାଳୁ ନୀତି ପରେ ବଳଦେବ ଜୀଉଙ୍କ ରଥ ଟଣା ଆରମ୍ଭ ହୋଇଥିଲା । କିନ୍ତୁ ପୁଣି ବାମକୁ ମାଡ଼ି ଯିବାରୁ ଏହାକୁ ଜଗ୍ ସାହାଯ୍ୟରେ ଡାହାଣ ମୋଡ କରାଯାଇଥିଲା । ରଥ ଟାଣିବାକୁ ଆସିଥିବା ଭକ୍ତମାନେ ଦୁଇଦିନ ହେଲା ରଥ ଟାଣି ନ ପରି ନିରାଶ ହୋଇ ଫେରୁଥିଲେ । ପରମ୍ପରା ଅନୁଯାୟୀ କେନ୍ଦ୍ରାପଡ଼ାରେ ଦୁଇଦିନ ରଥ ଯାତ୍ରା ହୁଏ,କିନ୍ତୁ ଚଳିତ ବର୍ଷ ତିନି ଦିନରେ ମଧ୍ୟ ରଥ ପହଞ୍ଚି ପାରି ନାହିଁ । ଆଜି ରଥ ପହଞ୍ଚାଇବାକୁ ମନ୍ଦିର ପ୍ରଶାସନ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଚେଷ୍ଟା କରିବେ ବୋଲି କହିଛନ୍ତି ।

କାରଣ ଯାହା ବି ହେଉନା କାହିଁକି, ପୁରୀରେ ବଡ ଠାକୁରଙ୍କ ପଡିବା ଘଟଣା ଓ କେନ୍ଦ୍ରାପଡାରେ ରଥ ଟଣା ହୋଇନପାରିବା ଭକ୍ତ ମହଲରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି କରିଛି । ଆଗାମୀ ଦିନରେ କିଛି ଅଘଟଣ ନଘଟୁ, ବାସ୍‌ ଆମର ଏତିକି କାମନା ।

You might also like