ପାଖେଇ ଆସିଲାଣି ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜା, ଶେଷ ସ୍ପର୍ଶ ଅପେକ୍ଷାରେ ଗଜାନନ

ବାରଙ୍ଗ: ପାଖେଇ ଆସିଲାଣି ପ୍ରଥମ ପୂଜ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଆଉ ଦିନ କେଇଟା ପରେ ସର୍ବତ୍ର ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଗଜାନନଙ୍କ ପୂଜା ପାଇଁ ଚାଲିଛି ବିଭିନ୍ନ ପ୍ରସ୍ତୁତି । ସେପଟେ ମୂର୍ତ୍ତି ନିର୍ମାଣ କରିବା ପାଇଁ ବ୍ୟସ୍ତ ଅଛନ୍ତି ଶିଳ୍ପୀ ଓ କାରିଗର । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଫୁଲପୋଖରୀ ଗ୍ରାମରେ ନିର୍ମାଣ ଚାଲିଛି ଭିନ୍ନ ଭିନ୍ନ ରୂପ ଓ ଅବତାରର ଗଣେଶ ମୂର୍ତ୍ତି । ପ୍ରତିବର୍ଷ ବହୁ ପ୍ରକାର ଓ ବହୁ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି ଏହି ଗ୍ରାମବାସୀ ।

ପ୍ରଥମ ପୂଜ୍ୟଙ୍କ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସମଗ୍ର ପ୍ରସ୍ତୁତି ଲାଗି ରହିଛି । ଏହାରି ମଧ୍ୟରେ କାରିଗରମାନେ ଦିନ ରାତି ଲାଗିପଡିଛନ୍ତି ମୂର୍ତ୍ତି ତିଆରି କରିବାରେ । ଗଣେଷଙ୍କୁ ବିଭିନ୍ନ ରୂପ ଓ ବେଶରେ ସୁସଜ୍ଜିତ କରି ଶେଷ ସ୍ପର୍ଶ ଦେବାରେ ମଗ୍ନ ରହିଛନ୍ତି ଶିଳ୍ପୀ । ବାରଙ୍ଗ ବ୍ଲକ ଫୁଲପୋଖୋରୀ ଗ୍ରାମ ହେଉଛି ଏଭଳି ଏକ ଗ୍ରାମ, ଯେଉଁଠି ମୂର୍ତ୍ତି ନିର୍ମାଣ ଠୁ ଆରମ୍ଭ କରି ଅନେକ ମାଟି ତିଆରି ସାମଗ୍ରୀ ହୋଇଥାଏ । ଯାହା ଏମାନଙ୍କ କୌଳିକ ବୃତ୍ତି । ବାପା ଜେଜେଙ୍କ ଅମଳରୁ ଏହି କାର୍ଯ୍ୟ କରି ଆସୁଛନ୍ତି କାରିଗରମାନେ ।

ଚଳିତ ବର୍ଷ ବିଭିନ୍ନ ପୂଜା ମଣ୍ଡପଙ୍କ ବରାଦ ମୁତାବକ ମୂର୍ତ୍ତି ନିର୍ମାଣ କରିଛନ୍ତି ଅନେକ ଶିଳ୍ପୀ । ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ବିକୃତ ମୂର୍ତ୍ତିକୁ ଛାଡିଦେଲେ ଅନ୍ୟ ବିଭିନ୍ନ ବେଶ ଓ ରୂପରେ ଜୀବନ ରୂପ ପାଉଛନ୍ତି ଗଣେଶ । ନିଜର କୌଳିକ ବୃତ୍ତିକୁ ଜୀବିତ ରଖିବା ପାଇଁ ଶିଳ୍ପୀ ତାର ସୂକ୍ଷ୍ମ ହାତର କାରୁକାର୍ଯ୍ୟରେ ମାଟିର ମୂର୍ତ୍ତିରେ ଜୀବନ ଦାନ ଦେଉଛନ୍ତି । ଯାହା ଦେଖିବାକୁ ସାକ୍ଷାତ ଭଗବାନ ସମ୍ମୁଖରେ ଠିଆ ହୋଇଥିବା ଅନୁଭବ ହୁଏ । କେବଳ ବାରଙ୍ଗ ଅଞ୍ଚଳ ନୁହେଁ ବହୁ ଦୂର ଦୁରାନ୍ତରୁ ଏବଂ ଜିଲ୍ଲା ବାହାରୁ ମଧ୍ୟ ଗ୍ରାହକ ଆସନ୍ତି ଏଠାକୁ ମୂର୍ତ୍ତି ନେବାକୁ ।

ବହୁତ୍ ପୂର୍ବରୁ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଦେବାକୁ ପଡିଥାଏ । କାରିଗର କୁହନ୍ତି ଯେ ବଡ଼ ମୂର୍ତ୍ତି ଭିତରେ ୩ ହଜାର ଟଙ୍କାରୁ ଆରମ୍ଭ ହୋଇ ୫୫ ହଜାର ଟଙ୍କା ଯାଏ ଚଳିତ ବର୍ଷ ଅର୍ଡର ରହିଛି । ପୂଜା ପାଖେଇ ଆସୁଥିବାରୁ ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି ନିର୍ମାଣ । କିଏ ନଡ଼ା ସାହାଯ୍ୟରେ ବାନ୍ଧି ଆରମ୍ଭ କରୁଛି ତ କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଗଢିବାରେ ବ୍ୟସ୍ତ ରହିଛନ୍ତି । ବିଘ୍ନବିନାଶକଙ୍କର ଆଗମନ ସହ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ଏହି ପାର୍ବଣ ଋତୁ ଆରମ୍ଭରୁ ମୂର୍ତ୍ତି କାରିଗର ମାନେ ଭିନ୍ନଭିନ୍ନ ମୂର୍ତ୍ତି ନିର୍ମାଣ କରିଥାନ୍ତି ।

କିନ୍ତୁ ଏମାନଙ୍କର ବଡ଼ ସମସ୍ୟା ହେଉଛି କଞ୍ଚାମାଲ୍ ସଠିକ୍ ସମୟରେ ମିଳିପାରୁନାହିଁ । ମୁଖ୍ୟତଃ ହେଉଛି ମାଟି ସମସ୍ୟା । ସେପଟେ ସରକାର ଏହି କାରିଗରଙ୍କ ଦୁଃଖ ବୁଝୁ ନାହାନ୍ତି ଯାହାକୁ ନେଇ ଦୁଃଖ ପ୍ରକାସ କରୁଛନ୍ତି କାରିଗର ପରିବାର ।

Also read: ପାଖେଇ ଆସୁଛି ଗଣେଶ ପୂଜା, ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ କାରିଗର