ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ଯାହାକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ ।

ତେଣୁ ଏହି ପରମ୍ପରା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ।

Leave A Reply

Your email address will not be published.