ଚଳଚଞ୍ଚଳ ଶ୍ରୀକ୍ଷେତ୍ର : କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ ।  ଆଜି ରାଜରାଜେଶ୍ୱର ବା ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।  ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶ ହେବାର ପରମ୍ପରା ରହିଛି । ତେବେ କାର୍ତ୍ତିକ ମାସ ପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ ଲାଗି ହୋଇଥାନ୍ତି ଶ୍ରୀଜୀଉ ।  ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟ ଛକରୁ ବ୍ୟାରିକେଡରେ ଭକ୍ତମାନେ ଯାଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ ।  ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଭୋରୁ ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକାରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଭସାଇଛନ୍ତି । ଏହାସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଛି ସମଗ୍ର ବେଳାଭୂମି ।

You might also like